କୋରାପୁଟ : ଉତ୍ତ୍ୟକ୍ତ ଲୋକଙ୍କ ବିରୋଧ, ଜନଶୁଣାଣି ଅଟକିଲା
କୋରାପୁଟ : ସେମିଳିଗୁଡା ଥାନା କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣି ବେଳେ ଗଣ୍ଡଗୋଳ ହୋଇଛି। ଲୋକମାନେ ଷ୍ଟେଜକୁ ଭଙ୍ଗାରୁଜା କରିବା ସହ ଟେଣ୍ଟକୁ ଓପାଡି ପକାଇବାରୁ ଜନଶୁଣାଣି ହୋଇପାରିନଥିବା ଜଣାପଡିଛି।
ଖବର ଅନୁଯାୟୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ମାଳି ପର୍ବତରୁ ଖଣି ଖନନ ପାଇଁ ଅନୁମତି ମିଳିଛି। ଆଜି ଥିଲା ପ୍ରଦୂଷଣ ବିଭାଗ ପକ୍ଷରୁ ଜନଶୁଣାଣି। ସଭାରେ ଆଖପାଖ ୧୨ ପଞ୍ଚାୟତର ୭୦ ଗ୍ରାମବାସୀ ଯୋଗ ଦେଇଥିଲେ। କିନ୍ତୁ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଖଣି ଖନନକୁ ପ୍ରବଳ ବିରୋଧ କରାଯାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସଭା ପାଇଁ ପ୍ରସ୍ତୁତ ଷ୍ଟେଜକୁ ଭାଙ୍ଗିବା ସହିତ ଟେଣ୍ଟକୁ ଓପାଡି ଦେବାରୁ ଜନଶୁଣାଣି ଅଟକିଥିଲା। ପ୍ରଶାସନ ଓ ଖଣି ଲିଜଧାରୀମାନେ ଫେରିଯାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।




























