‘ଦ କେରଳ ଷ୍ଟୋରି’ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏକାଧିକ ଭାଷାରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି।

ଖବର ଅନୁଯାୟୀ ଆବେଦନକାରୀ ‘ଦ କେରଳ ଷ୍ଟୋରି’ରେ ଘୃଣା ସୃଷ୍ଟିକାରୀ ବୟାନ ରହିଥିବା ଦର୍ଶାଇ ଅଡିଓ ଓ ଭିଜୁଆଲରେ କରାଯାଉଥିବା ଅପପ୍ରଚାରର ଅଂଶବିଶେଷ ଦାବିକରି ସୁପ୍ରିମକୋର୍ଟ ଯାଇଥିଲେ।
ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠଙ୍କୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ନିଜାମ ପାଶା କହିଥିଲେ ଫିଲ୍ମଟି ମଇ ୫ ତାରିଖରେ ରିଲିଜ ହେବ। ଏହାର ଟ୍ରେଲରକୁ ୧୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହା ଅଡିଓ ଓ ଭିଜୁଆଲ ଦ୍ୱାରା କରାଯାଉଥିବା ଅପପ୍ରଚାରର ଅଂଶ ବିଶେଷ ହୋଇଥିବାରୁ ହେଟସ୍ପିଚ୍‌କୁ ପ୍ରୋତ୍ସାହିତ କରୁଛି।

ଖଣ୍ଡପୀଠ କହିଥିଲେ ଅନେକ ପ୍ରକାରର ହେଟ ସ୍ପିଚ ରହିଥିବା ବେଳେ ଫିଲ୍ମକୁ ରିଲିଜ ପାଇଁ ପ୍ରମାଣପତ୍ର ମିଳିଛି। ବୋର୍ଡ ଅନୁମତି ଦେଇଛି। ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ିଗଲେ ଓ ଅନିୟନ୍ତ୍ରିତ ଭାବେ ଭାଷଣ ଦେଲାଭଳି ପରିସ୍ଥିତି ଏହା ନୁହେଁ। ଆପଣ ଯଦି ଫିଲ୍ମର ରିଲିଜ୍‌କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି ତେବେ ଏହାର ପ୍ରମାଣପତ୍ରକୁ ଚ୍ୟାଲେଞ୍ଜ କରିପାରିବେ। ଏଥିପାଇଁ ଆପଣ ଉପଯୁକ୍ତ ଫୋରମକୁ ଯାଆନ୍ତୁ।

ଆମେ ଯାହା ଦରକାର ସବୁ କିଛି କରିବୁ ବୋଲି କପିଲ ଶିବଲ କହିବାରୁ ଜଷ୍ଟିସ ନାଗରତ୍ନା କହିଥିଲେ ଆବେଦନକାରୀ ପ୍ରଥମେ ହାଇକୋର୍ଟ ଯିବାର ଥିଲା। ଓକିଲ ନିଜାମ କହିଲେ ଏଥିପାଇଁ ଆଦୌ ସମୟ ନାହିଁ। ଫିଲ୍ମ ୫ ତାରିଖରେ ରିଲିଜ ହେବାକୁ ଯାଉଛି। ଏଖଣ୍ଡପୀଠ କହିଥିଲେ ଏହା କୌଣସି ପଡ଼ିଆ ନୁହେଁ। ନଚେତ୍ ସମସ୍ତେ ସୁପ୍ରିମକୋର୍ଟ ଆସିବା ଆରମ୍ଭ କରିଦେବେ। ଏହାପରେ କୋର୍ଟ ଫିଲ୍ମର ରିଲିଜ୍‌ ଉପରେ ରୋକ ଲାଗିପାରିବ ନାହିଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button