ବଜ୍ରପାତରେ ୭ ମୃତ, ୫ ଗୁରୁତର

ଭୁବନେଶ୍ୱର : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ଖୋର୍ଦ୍ଧା ଜିଲ୍ଲାର ବାଣପୁର ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନରେ ବିଲରେ ଚାରିଜଣ ଏକ ଭାଡି ଉପରେ ବସିଥିଲେ। ବଜ୍ରପାତରେ ରଞ୍ଜନ ରଣସିଂହ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହାଛଡା ଦାମିଆ ବରବରାର କଦମଝୋଲା ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମର ଶବର।

ସେହିପରି ବୌଦ୍ଧ ଥାନା ରାଉତବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପାନେଶ୍ୱରୀ ପୋଢ଼। ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଲାଙ୍ଗିର ଲୋଇସିଂହାର କୁଟିସିଂହା ଗାଁରେ ବଜ୍ରପାତ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଜଗତସିଂହପୁର ବାଲିକୁଦା ସାରଣା ଗାଁରେ ଜଣେ ଚାଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗଜପତି ମୋହନାର ଦାରୁପାଣି ଗାଁରେ ବଜ୍ରପାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅଡ଼ବା ଥାନା ବଦାକୁଆ ଗାଁରେ ବଜ୍ରପାତରେ ୬ଟି ଗୋରୁଙ୍କର ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲ୍ଲା ବନ୍ତଳାର ବଡ଼ହିଂସ ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ନିଆଳି ଜଲ୍ଲାରପୁର ଗାଁରେ ବଜ୍ରପାତରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏହାବ୍ୟତୀତ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରାୟ ଘଣ୍ଟାଏରୁ ଅଧିକ ବର୍ଷାରେ ଦୁଇ ସହରର ଏକ ପ୍ରକାର ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱରରେ ପ୍ରାୟ ଘଣ୍ଟାଏ ଭିତରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button