ସଂସଦର ଶୀତ ଅଧିବେଶନ : ଉଭୟ ଗୃହର ୯୨ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ। କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରିବାରୁ ଆଜି ଗୃହ ଚାଲି ପାରିଲାନି। ତିନିଥର ଗୃହ ମୁଲତବୀ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ଲୋକସଭାରୁ ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ।

ଖବର ଅନୁଯାୟୀ ସୋମବାର ଉଭୟ ଗୃହରୁ ମୋଟ ୭୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଉଭୟ ଗୃହର ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ବିବୃତ୍ତି ଦାବିକରି ବିରୋଧୀ ପ୍ରବଳ ହଟ୍ଟଗୋଳ କରୁଛନ୍ତି। ଡିସେମ୍ବର ୧୪ରେ ଗୃହରେ “ଅସାମ୍ବିଧାନିକ ଆଚରଣ” ଅଭିଯୋଗରେ ୧୩ ଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ସମାନ ଅଭିଯୋଗରେ ୪୫ ସାଂସଦ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି।

ସାଂସଦଙ୍କ ନିଲମ୍ବନ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ୍ସ ପୋଷ୍ଟରେ କହିଛନ୍ତି ପ୍ରଥମେ ଅନୁପ୍ରବେଶକାରୀମାନେ ସଂସଦ ଉପରେ ଆକ୍ରମଣ କରିଥିଲେ। ତା’ପରେ ସଂସଦ ଓ ଗଣତନ୍ତ୍ର ଉପରେ ମୋଦି ସରକାର ଆକ୍ରମଣ କରୁଛନ୍ତି। ଆମର ଦୁଇଟି ସରଳ ଓ ଯଥାର୍ଥ ଦାବି ଥିଲା ସଂସଦର ସୁରକ୍ଷା ତ୍ରୁଟିରେ କେନ୍ଦ୍ର ଗୃହମନ୍ତ୍ରୀ ସଂସଦର ଉଭୟ ଗୃହରେ ଏକ ବିବୃତ୍ତି ରଖିବା ଉଚିତ୍। ଏହା ଉପରେ ବିସ୍ତୃତ ଆଲୋଚନା ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଏକ ଖବରକାଗଜକୁ ସାକ୍ଷାତକାର ଦେଲେ। ଗୃହମନ୍ତ୍ରୀ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇପାରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button