ରେଳ ଷ୍ଟେସନ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ
ଅଶୋକ ନଗର : ମଧ୍ୟପ୍ରଦେଶ ଅଶୋକ ନଗର ଜିଲ୍ଲାରେ ଘଟିଛି ଲଜ୍ଜାଜଣକ ଘଟଣା। ରେଳ ଷ୍ଟେସନ୍ରେ ସ୍ଵାମୀଙ୍କ ସହିତ ଟ୍ରେନକୁ ଅପେକ୍ଷା କରିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ପୋଲିସ ପରିଚୟ ଦେଇ ଦୁଇଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଖବର ଅନୁଯାୟୀ ପୋଲିସ କହିଛି ଶୁକ୍ରବାର ବିଳମ୍ବିତ ରାତ୍ରରେ ଏହି ଘଟଣା ମୁଙ୍ଗାୱଲି ରେଳ ଷ୍ଟେସନ୍ରେ ଘଟିଛି। ରାଜସ୍ଥାନର ଜୟପୁରକୁ ଯିବା ପାଇଁ ନିର୍ଦ୍ଧାରିତ ଟ୍ରେନ୍ ଫେଲ ହେବା ପରେ ସେଠାରେ ମହିଳା ଓ ତାଙ୍କ ସ୍ଵାମୀ ଅନ୍ୟ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ପୋଲିସ ପରିଚୟ ଦେଇ ସାଦା ପୋଷାକ ପିନ୍ଧିଥିବା ୨ଜଣ ବ୍ୟକ୍ତି ପହଞ୍ଚି ଟିକେଟ୍ ଯାଞ୍ଚ କରିବା ସହିତ ଅନ୍ୟାନ୍ୟ କଥା ପଚାରି ଥିଲେ। ସ୍ଵାମୀ-ସ୍ତ୍ରୀଙ୍କୁ ପରିଚୟ ପତ୍ର ଦେଖାଇବାକୁ କହିଥିଲେ। ଜଣେ ମହିଳାଙ୍କ ସ୍ଵାମୀଙ୍କ ସହ ଯୁକ୍ତିତର୍କ କରି ଚାପୁଡ଼ା ମାରି ଦୂରକୁ ନେଇଗଲେ। ଅନ୍ୟଜଣକ ମହିଳାଙ୍କୁ ବଳପୂର୍ବକ ପାଖର ଥିବା ଜଙ୍ଗଲିଆ ଅଞ୍ଚଳକୁ ଟାଣି ନେଇ ଦୁଷ୍କର୍ମ କରିବା ପରେ ଅନ୍ୟ ଜଣକ ଆସି ଦୁଷ୍କର୍ମ କରିଥିଲା।
ଅଶୋକ ନଗର ଜିଆର୍ପି ଷ୍ଟେସନ୍ ଇନ୍-ଚାର୍ଜ ଜେ. ଏଲ୍. ଅହିରୱାର୍ କହିଛନ୍ତି ଦୁଇ ଅପରିଚିତ ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଛି। ତାଙ୍କ ସୂଚନା ହେଲା ପୀଡ଼ିତା ମହିଳାଙ୍କ ସ୍ଵାମୀ ଜଣେ ମଦ୍ୟପ। ମଦ ଯୋଗାଡ଼ କରିବାକୁ ଷ୍ଟେସନ୍ ବାହାରକୁ ଯାଇଥିବାରୁ ସେମାନେ ଟ୍ରେନ୍ ଫେଲ ହୋଇଥିଲେ।