ପୂର୍ବ ଭାରତରେ ଫୁସଫୁସ ପ୍ରତିରୋପଣ କରି ବେଙ୍ଗଲ ସ୍ଥାପନ କଲା ନୂଆ କୀର୍ତ୍ତିମାନ

କୋଲକାତା : ପୂର୍ବ ଭାରତର ସର୍ବବୃହତ ବେସରକାରୀ ହସ୍ପିଟାଲ ଚେନ ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲ ପ୍ରଥମ କରି ସଫଳତାର ସହିତ ଫୁସଫୁସ ପ୍ରତିରୋପଣ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲରେ ସେପ୍ଟେମ୍ବର ୨୦ ତାରିଖରେ ଦୁଇଟିକିଆ ଫୁସଫୁସ ପ୍ରତିରୋପଣ କରାଯାଇଛି ଏବଂ ଏହା କୋଭିଡ-୧୯ରେ ସଂକ୍ରମିତ ହୋଇ ଇକ୍ମୋ ଚିକିତ୍ସାରେ ଥିବା ୪୬ ବର୍ଷ ବୟସ୍କ ଦୀପକ ହଲଦରଙ୍କ ଶରୀରରେ ଏହି ପ୍ରତିରୋପଣ ହୋଇଛି।
ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲକୁ ଫୁସଫୁସ ଗୁଜରାଟର ସୁରଟରୁ ଏୟାର ଆମ୍ବୁଲାନ୍ସ ସହାୟତାରେ ଅଣାଯାଇଥିଲା। ଡା. କୁନାଲ ସରକାର, ଡା. ସପ୍ତର୍ଷି ରୟ, ଡା. ଅର୍ପଣ ଚକ୍ରବର୍ତ୍ତୀ, ଡା. ଦୀପାଞ୍ଜନ ଚାଟାର୍ଜୀ, ଡା. ମ୍ରିନାଲ ବନ୍ଧୁଦାସ, ଡା. ତୃପ୍ତି ତାଲାପାତ୍ରା, ଡା. ଆଶୁତୋଷ ସାମଲ, ଡା. ସୌମ୍ୟଜିତ ଘୋଷ, ଡା. ଶ୍ରବଣ କୁମାର, ଡା. ଋତୁପର୍ଣ୍ଣା ଦାସ, ଡା. ଶୈବାଳ ସି, ଡା. ହିରକ ଶୁଭ୍ର ମଜୁମଦାର, ଦେବଲାଲ ପଣ୍ଡିତ, ଶୈବାଳ ତ୍ରିପାଠୀ ଓ ସୌମାଲ୍ୟ ମିତ୍ରଙ୍କୁ ନେଇ ଗଠିତ ମେଡିକାର କାର୍ଡିଆକ ସର୍ଜରୀ ଏବଂ କାର୍ଡିଆକ କ୍ରିଟିକାଲ କେୟାର ବିଭାଗର ଦଳ ଦ୍ୱାରା ଏହି ପ୍ରତିରୋପଣ କରାଯାଇଥିଲା। ଫୁସଫୁସ ପ୍ରତିରୋପଣ କରାଯାଇଥିବା ଦୀପକ ହଲଦର କୋଲକାତାର ବାସିନ୍ଦା ଓ ଜଣେ ଆଇଟି ବୃତ୍ତିଧାରୀ । ସେ କୋଭିଡ ନିମୋନିଆରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କୁ ଚଳିତ ବର୍ଷ ଜୁନ ମାସ ୯ ତାରିଖରେ ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଏ ସମ୍ପର୍କରେ ସିନିଅର ଭାଇସ୍ ଚେୟାରମନ୍ୟାନ, ସିନିଅର କାର୍ଡିଆନ ସର୍ଜନ ଏବଂ ମେଡିକା ଇନଷ୍ଟିଚ୍ୟୁଟ ଅଫ କାର୍ଡିଆକ ସାଇନ୍ସେସର ମୁଖ୍ୟ ଡା. କୁନାଲ ସରକାର କହିଛନ୍ତି, “କୋଭିଡ ରୋଗୀଙ୍କ ଠାରେ ଫୁସଫୁସ ପ୍ରତିରୋପଣରେ ଯଥେଷ୍ଟ ଆପଦ ରହିଛି ଏବଂ ଏହା ଏକ ଆହ୍ୱାନପୂର୍ଣ୍ଣ ପଦ୍ଧତି । କୋଭିଡ ପରବର୍ତ୍ତୀ ସମୟରେ ଫୁସଫୁସ ପ୍ରତିରୋପଣ ଅନ୍ୟତମ ସର୍ବାଧିକ ଜଟିଳ ଅସ୍ତ୍ରୋପଚାର ଆହ୍ୱାନ ଭାବରେ ବିବେଚିତ ହେଉଛି । ଆମ ଟିମ୍ ମଧ୍ୟ ଏହି ଦାୟିତ୍ୱକୁ ଚାଲେଞ୍ଜ ଆକାରରେ ଗ୍ରହଣ କରି ଏ କ୍ଷେତ୍ରରେ କିଛି ଦୂରତା ଅତିକ୍ରମ କରିଛୁ, କିନ୍ତୁ ତଥାପି ଆଉ ଅନେକ ବାଟ ଯିବାକୁ ବାକି ରହିଛି ।” ଡା. ଅର୍ପଣ ଚକ୍ରବର୍ତ୍ତୀ ଏବଂ ଡା. ଦୀପାଞ୍ଜନ ଚାଟାର୍ଜୀ କହିଥିଲେ, “ଭାରତର ଏବଂ ସମୁଦାୟ ଏସିଆରେ ସର୍ବବୃହତ ଇକ୍ମୋ ଚିକିତ୍ସା କାର୍ଯ୍ୟକ୍ରମ ପରିଚାଳନା ଅଭିଜ୍ଞତା ହାସଲ କରିଥିବା ମେଡିକା ଗୁରୁତର କୋଭିଡ ଜନିତ ପରିସ୍ଥିତିର ଜଟିଳ ଅବସ୍ଥା ସମ୍ପର୍କରେ ସୁପରିଚିତ । ଯେଉଁମାନଙ୍କ କ୍ଷେତ୍ରରେ ଇକ୍ମୋ ଚିକିତ୍ସା କାର୍ଯ୍ୟ କରୁନାହିଁ, ସେମାନଙ୍କ କ୍ଷେତ୍ରରେ ଫୁସଫୁସ ପ୍ରତିରୋପଣ ଏକ ବିକଳ୍ପ ହୋଇଛି । ଆମେ ଆଶା କରୁଛୁ ଯେ ସେଥିରୁ ସେ ସନ୍ତୋଷଜନକ ଭାବରେ ସୁସ୍ଥ ହେବେ ।”
ମେଡିକା ଗ୍ରୁପ ଅଫ୍ ହସ୍ପିଟାଲସ୍ର ଚେୟାରମନ୍ୟାନ ଏବଂ ଫିକି ହେଲ୍ଥ ସର୍ଭିସେସ କମିଟିର ଅଧ୍ୟକ୍ଷତା କରୁଥିବା ଡା. ଆଲୋକ ରୟ କହିଛନ୍ତି, “ୟୁନାଇଟେଡ ଗ୍ରୀନ ହସପିଟାଲ ସୁରଟ, ଡୋନେଟ ଲାଇଫ ଏନଜିଓ, ସୁରଟ; ଇଣ୍ଡିଗୋ, ସିଆଇଏସ୍ଏଫ, କୋଲକାତା ପୁଲିସ, ବିଧାନନଗର ପୁଲିସ, ସୁରଟ ବିମାନବନ୍ଦର କର୍ତ୍ତୃପକ୍ଷ, ସୁରଟ ପୁଲିସ, ଏନଓଟିଟିଓ ଏବଂ ଆରଓଟିଟିଓ ତଥା ମେଡିକା ହସ୍ପିଟାଲର ସମସ୍ତ ସହାୟକ କର୍ମଚାରୀଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ । ପ୍ରତିରୋପଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ଗୁରୁତ୍ୱ ଦେବା ଏବଂ ଅଙ୍ଗଦାନ ସମ୍ପର୍କରେ ନାଗରିକଙ୍କୁ ସଚେତନ କରାଇବା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଆମେ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛୁ ।”