ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ

ବ୍ରହ୍ମପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇଲେ ବିଜେଡି ନେତା। ଆକ୍ରମଣ ପାଇଁ ଉଦ୍ୟମ କରିବାରୁ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। କେବଳ ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ କରାଯାଇଥିବା ଜଣାପଡିଛି। ତାଙ୍କୁ ବ୍ରହ୍ମପୁର ଅଭିମୁଖେ ଯିବାକୁ ଦିଆଯାଉ ନଥିବାରୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଘଟଣାସ୍ଥଳରୁ ମୋବାଇଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ, ଡିଜିପି, ଦକ୍ଷିଣାଞ୍ଚଳ ଆଇଜି ଓ ଗୃହ ବିଭାଗକୁ ମେଲ୍ କରିଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ବେଗୁନିଆପଡ଼ା ବ୍ଲକ ଛକରୁ ପୋଲିସ ଉଠେଇ ନେଇଥିଲା। ସେହିପରି ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ରାମ ପାତ୍ରଙ୍କୁ ମଧ୍ୟ ପୋଲିସ ଅଟକ ରଖିଲା। ଅନ୍ୟପକ୍ଷରେ ୫ଟି ସଚିବଙ୍କ ଗଞ୍ଜାମ ବେଗୁନିଆପଡ଼ା ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ରଙ୍ଗେଇଲୁଣ୍ଡା ଗସ୍ତ ସମୟ ୪ଟା ୧୫ ବଦଳରେ ୨ଟା ୧୫ ମିନିଟ ହୋଇଥିଲା। ପ୍ରଦୀପ ପାଣିଗ୍ରାହୀ ଯୋଗଦେବା ଜଣାପଡିବାରୁ ଗସ୍ତ ସୂଚୀ ବଦଳିଥିବା ଅନୁମାନ କରାଯାଉଛି। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡ଼ାର ଶନିମନ୍ଦିର ପଡ଼ିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫ଟି ସଚିବ। ବିଭିନ୍ନ ପ୍ରକଳ୍ପର କରିଛନ୍ତି ଘୋଷଣା। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସମସ୍ତ କଲେଜର ରୂପାନ୍ତରିକରଣ ହେବ ବୋଲି କହିଛନ୍ତି।

୫-ଟି ସଚିବଙ୍କ ବ୍ରହ୍ମପୁର ଗସ୍ତକୁ ନଜରରେ ରଖି ବିଭିନ୍ନ ମହାବିଦ୍ୟାଳୟ ଗୁଡ଼ିକ ଆଜି ଅଘୋଷିତ ଭାବେ ଛୁଟି ଘୋଷଣା କରାଯାଇଛି। ଏ ନେଇ କଲେଜଗୁଡ଼ିକ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଯୋଗ ଦେବା ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ହୋଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button