ଉଜ୍ଜୟିନୀରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଦୁଷ୍କର୍ମ ପରେ ଅର୍ଦ୍ଧନଗ୍ନ ଓ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପୀଡ଼ିତା ଜଣକ ଘର ଘର ବୁଲି ସହାୟତା ପାଇଁ ଯାଉଥିବା ସମୟର ଦୃଶ୍ୟ ସିସିଟିଭିରେ କୈଦ ହୋଇଥିଲା। ଏହାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଖବର ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚକରି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ଅଧିକାରୀ କହିଛନ୍ତି ଅସ୍ତ୍ରୋପଚାର ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ସେ ଅସୁସ୍ଥ ଥିବାରୁ ଏପର୍ଯ୍ୟନ୍ତ କୌଣସି ବୟାନ ନେଇନାହାନ୍ତି। ସେ କେଉଁଠୁ ଆସିଛନ୍ତି ତାଙ୍କ ପିତାମାତା କିଏ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ସଂପର୍କରେ ସେ କିଛି କହିପାରୁନାହାନ୍ତି।
ସୂଚନାଯୋଗ୍ୟ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ଅତ୍ୟନ୍ତ ଅମାନୁଷିକ ଭାବେ ଅର୍ଦ୍ଧନଗ୍ନ ଓ ରକ୍ତାକ୍ତ ଅବସ୍ଥାରେ ସହରର ଦାଣ୍ଡି ଆଶ୍ରମ ନିକଟସ୍ଥ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଥିଲା। ସିସିଟିଭି କ୍ୟାମେରାରେ ରେକର୍ଡ ଦୃଶ୍ୟ ଅନୁଯାୟୀ ନାବାଳିକା ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ ଅଞ୍ଚଳରେ ଚାଲୁଥିବାବେଳେ କିଛି ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲା। କିନ୍ତୁ ସେମାନେ ନାବାଳିକାକୁ ଘଉଡ଼ାଇ ଦେଇଥିଲେ। ଆଉ କେତେଜଣ ଶିଶୁକୁ ସହାୟତା ଦେବା ବଦଳରେ କବାଟ କିଳି ଦେଇଥିଲେ।
ସହାୟତା ପାଇଁ ପ୍ରାୟ ଦେଢ଼ ଘଣ୍ଟା କାଳ ବୁଲିବା ପରେ ପୀଡ଼ିତା ନାବାଳିକାକୁ ପୋଲିସ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ତାକୁ ଚିକିତ୍ସା ପାଇଁ ଇନ୍ଦୋର ପଠାଇ ଏକ ମାମଲା ରୁଜୁ କରିବା ସହ ଦୋଷୀକୁ ଧରିବା ପାଇଁ ଏକ ଏସ୍ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଥିଲା। ନାବାଳିକାର ମେଡିକାଲ ପରୀକ୍ଷାରୁ ଜଣାପଡ଼ଥିଲା ସେ ଦୁଷ୍କର୍ମର ଶିକାର ହୋଇଥିଲା।