ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ ୩୦ରେ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତା ୩୦ରେ ହେବ। ଆଜି ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୩ରେ ଫଳାଫଳ ଘୋଷଣା ହେବ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିୟମ ଅନୁସାରେ ପଦ ବଜାୟ ରଖିବାକୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। କିନ୍ତୁ କରୋନା ଯୋଗୁ ଉପ ନିର୍ବାଚନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଆଜି ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଭବାନୀପୁର ରହିଛି।

ତେବେ କମିଶନ କହିଛନ୍ତି ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୩୧ଟି ବିଧାନସଭା ଆସନ ଓ ୩ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ବର୍ତ୍ତମାନ କେବଳ ୪ଟି ଆସନରେ ଉପ ନିର୍ବାଚନ ହେବ। କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଉପ ନିର୍ବାଚନ ହେବାକୁ ଥିବା ଆସନଗୁଡ଼ିକରେ ଆଜିଠାରୁ ଆଚରଣ ବିଧି ଲାଗୁ ହୋଇଛି। ଉପ ନିର୍ବାଚନ ପାଇଁ ୬ ତାରିଖରେ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ। ୧୩ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ। ୧୪ ତାରିଖରେ ଯାଞ୍ଚ ଓ ସେପ୍ଟେମ୍ବର ୧୬ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ୩୦ ତାରିଖରେ ଭୋଟ, ଅକ୍ଟୋବର ୩ରେ ଫଳ ପ୍ରକାଶ ପାଇବ ଓ ଅକ୍ଟୋବର ୫ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

Leave a Reply

Your email address will not be published. Required fields are marked *

Back to top button