ମନୁଷ୍ୟତା ବଞ୍ଚି ରହୁ

।। ଗୋପାଳ ମହାପାତ୍ର ।। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ଆରମ୍ଭ ହୋଇଛି । ୭୫ବର୍ଷ ପୂର୍ବେ ଭାରତ ସ୍ୱାଧୀନ ହୋଇଥିଲା । ଦେଶଣ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏକ ନୂଆ ଭାରତ ଗଠନ କରିବାର ସ୍ୱପ୍ନକୁ ସାକାର କରିବାର ସଂକଳ୍ପ ନେଇôଥଲେ ଓ ଏହି ସଂକଳ୍ପକୁ ଲାଲକିଲ୍ଲାରୁ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ଅଗଷ୍ଟ ୧୫ତାରିଖ ଦିନ ଏହି ସଂକଳ୍ପକୁ ଦୋହରାଯାଉଛି, ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନକୁ ଆହୁତି ଦେଇଥିବା ସଂଗ୍ରାମୀମାନଙ୍କର ସ୍ମୃତିଚାରଣ କରାଯାଉଛି । ସ୍ୱାଧୀନତା ସଂଗ୍ରାମରେ ତ ଅନେକ ଶହୀଦ ହୋଇଥିଲେ ତାବାଦ୍ ସ୍ୱାଧୀନତା ସହ ମିଳିଥିବା ବିଭାଜନ ବିଭିଷିକାର ଶୀକାର ହୋଇଥିଲେ ଲକ୍ଷଲକ୍ଷ ଲୋକ । ଲକ୍ଷଲକ୍ଷ ଲୋକଙ୍କ ବଳିଦାନରେ ଆମକୁ (ଭାରତକୁ) ଏହି ସ୍ୱାଧୀନତା ମିଳିଛି । ଏ ହେଉଛି ଆମର ଇତିହାସ । ବଳିଦାନ ଦେଇଥିବା ଲୋକଙ୍କ ସ୍ମୃତିଚାରଣ କରିବା ସହ ଆମେ ଏକ ନୂଆ ଇତିହାସ ରଚନା କରିବା ଦିଗରେ କିଛି ସାର୍ଥକ ପଦକ୍ଷେପ ନେଇପାରିବା । ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇ ସ୍ମୃତିକୁ ଏକ ନୂଆ ସ୍ଲୋଗାନ ସହ ଯୋଡ଼ି ଦେଇଛନ୍ତି । ଲାଲକିଲ୍ଲାରୁ ସେ ଘୋଷଣା କରିଛନ୍ତି ଯେ, ଏବେ ଅଗଷ୍ଟ ୧୪ ଅର୍ଥାତ୍ ସ୍ୱାଧୀନତା ଦିବସର ପୂର୍ବ ଦିନକୁ ସାରା ଦେଶ ବିଭାଜନ ବିଭିଷିକା ସ୍ମୃତି ଦିବସ ଭାବରେ ପାଳନ କରିବ । ମୋଦୀଙ୍କ ମତ ହେଉଛି ଏହା ଫଳରେ ଏକତା, ସାମାଜିକ ସଦ୍ଭାବ ଏବଂ ମାନବୀୟ ସମ୍ବେଦନା ଅଧିକ ମଜଭୁତ୍ ହେବ । ଅନ୍ୟପକ୍ଷରେ ୧୪ ଅଗଷ୍ଟକୁ ବିଭାଜନ ବିଭିଷିକା ଦିବସ ଭାବେ ପାଳନ କରାଗଲେ ସାମାଜିକ ବିଭାଜନ ଏବଂ ବୈମନସ୍ୟର ଜହର ବା ଘୃଣାଭାବ ଅନେକାଂଶରେ ଦୂର ହୋଇପାରିବ ।
କିନ୍ତୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏହି ବିଭାଜନ ବିଭିଷିକା ଦିବସ ପାଳନ କରାଗଲେ କ’ଣ ସାମ୍ପ୍ରଦାୟିକ ସଦ୍ଭାବ ବୃଦ୍ଧି ପାଇବ? ଦେଶ ବିଭାଜନ ଜନିତ ହିଂସା ଆମ ଭିତରେ ଥିବା ଅମାନୁଷିକତାକୁ ଉଜାଗର କରିଦେଇଥିଲା । ଧର୍ମ ନାମରେ ଲଗାଇ ଦିଆଯାଇଥିବା ସାମ୍ପ୍ରଦାୟିକତାର ନିଆଁରେ ମାନବୀୟ ସମ୍ବେଦନା ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏହା ଥିଲା ପଶୁତାର ଅଭିବ୍ୟକ୍ତି । ଏସବୁ ଘଟଣାକୁ ଭୁଲି ହେବ ନାହିଁ କି ସେ ଘଟଣା ଘଟାଇଥିବା ଲୋକଙ୍କୁ ମଧ୍ୟ କ୍ଷମା ଦେଇହେବ ନାହିଁ । ଦେଶର ବିଭାଜନବେଳେ ଯାହା ସବୁ ଘଟିଥିଲା ତାହା ସବୁ ଥିଲା ମନୁଷ୍ୟତାର ବିପରୀତ । ଅପରାଧୀ ସେସଇମାନେ ଯେଉଁମାନେ ଧର୍ମ ନାମରେ ହିଂସା ଘଟାଇଥିଲେ । ଏହିମାନେ ଆମ ସମାଜକୁ ହିନ୍ଦୁ ଓ ମୁସଲମାନ ନାମରେ ବିଭାଜିତ କରିଦେଇଥିଲେ । ଦେଶର ବିଭାଜନ କଥାତ ବୁଝି ହେଉଛି । ଏହାର ରାଜନୈତିକ କାରଣ ନେତୃତ୍ୱର କୁତ୍ସିତ ମହତ୍ୱାକାଂକ୍ଷା ହୋଇପାରେ । କିନ୍ତୁ ମଣିଷ ମଣିଷ ମଦ୍ୟରେ ଠିଆ କରାଯାଇଥିବା ପ୍ରାଚୀରର ତର୍କ କିଛି ବୁଝିହୁଏ ନାହିଁ । ଏହା ବୁଝିବା କଷ୍ଟକର । ଧର୍ମ ନାମରେ ହୋଇଥିବା ହିଂସା ସେତେବେଳେ କ୍ଷମ୍ୟ ନଥିଲା କି ଆଜି ବି କୌଣସି ବି ଦୃଷ୍ଟିକୋଣରୁ ଏହାକୁ ଠିକ୍ ବୋଲି କୁହାଯାଇପାରିବ ନାହିଁ । ସାମ୍ପ୍ରଦାୟିକ ହିଂସା ଘଟାଉଥିବା ଲୋକ ସେତେବେଳେ ଅପରାଧୀ ଥିଲେ, ଆଜି ବି ଅପରାଧୀ । ଏଇଥିପାଇଁ ଏବେ ଯେତେବେଳେ ବିଭାଜନ ବିଭିଷିକାକୁ ମନେ ପକାଇବା ପାଇଁ ଉଦ୍ୟମ କରାଯାଉଛି ସେତେବେଳେ ଆମେ ମନେ ରଖିବା ଆବଶ୍ୟକ ଯେ ୭୫ବର୍ଷ ପୂର୍ବେ ଯେଉଁ ବିଚାରରେ ସାମ୍ପ୍ରଦାୟିକତାର ନିଆଁକୁ ଲଗାଇଥିଲା ସେଇ ବିଚାରକୁ ଆଧାର କରି ଆଜିବି ମଣିଷକୁ ବାଣ୍ଟିବା (ବିଭାଜିତ କରିବା) ପାଇଁ ଉଦ୍ୟମ ଚାଲିଛି । ଏଣୁ ସେଇ ବିଭିଷିକାକୁ ନୁହେଁ ବରଂ ସେଇ କୁତ୍ସିତ ବିଚାରକୁ ମନେ ପକାଇ କେମିତି ସେଥିରୁ ମୁକ୍ତି ପାଇବା ସେ ବାବଦରେ ଚିନ୍ତା କରାଯିବାର ଆବଶ୍ୟକତା ରହିଛି ।
ସେଇ ୧୯୪୭ ଅଗଷ୍ଟ ୧୪ତାରିଖର ଘଟଣା ଅମାନବୀୟ ଥିଲା । କିନ୍ତୁ ଏହା ସତ୍ୱେ ଆଶାର କିରଣ ମଧ୍ୟ ଦେଖାଇଥିଲା । ଏହି ଆଶାର କିରଣ ଦେଖାଇଥିଲେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ । ଅଗଷ୍ଟ ୧୪ତାରିଖ ମଧ୍ୟ ରାତ୍ରିରେ ଯେତେବେଳେ ସାରା ଦେଶ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ପ୍ରସ୍ତୁତି ଚଳାଇଥିଲା ସେତେବେଳେ ରାଷ୍ଟ୍ରପିତା । ଗାନ୍ଧୀ ରାଜଧାନୀ ଦିଲ୍ଲୀ ଠାରୁ ଦୂରରେ କୋଲକାତାରେ ସାମ୍ପ୍ରଦାୟିକ ନିଆଁକୁ ଲିଭାଇବାରେ ବ୍ୟସ୍ତ ଥିଲେ । ୨୪ଘଣ୍ଟା ଉପବାସରେ ରହିଲେ ଗାନ୍ଧୀ । ଗାନ୍ଧୀଙ୍କ ସନ୍ଦେଶ ଥିଲା ଆଜି ଆମମାନଙ୍କୁ କଣ୍ଟାର ମୁକୁଟ୍ ପିନ୍ଧିବାକୁ ପଡ଼ିବ । ସତ୍ୟ ଓ ଅହିଂସାକୁ ଗୁରୁତ୍ୱ ଦେବାକୁ ପଡ଼ିବ । ବିନମ୍ର ହୁଅ, ସହିଷ୍ଣୁ ହୁଅ । ଏବେ ଠାରୁ ତୁମକୁ ପ୍ରତିଦିନ ପରୀକ୍ଷା ଦେବାକୁ ପଡ଼ିବ । ଶାସନକୁ ସାବଧାନ । ଶାନର ଅହମିକା ଜାଲରେ ଫସନାହିଁ । ଭାରତର ଗରୀବ ଲୋକଙ୍କ ସେବାରେ ନିଜକୁ ସମର୍ପିତ କର । ଗାନ୍ଧୀଜୀଙ୍କ ଏହି ସନ୍ଦେଶ ସେଇମାନଙ୍କ ପାଇଁ ଥିଲା ଯେଉଁମାନେ ଭାରତର ଶାସନ ଭାର ନିଜ ହାତକୁ ନେବାକୁ ପ୍ରସ୍ତୁତ ହେଉଥିଲେ ।
ଦେଶବାସୀଙ୍କ ପାଇଁ ଗାନ୍ଧୀଙ୍କ ସନ୍ଦେଶ ଥିଲା “ସଚ୍ଚା ଧର୍ମ ବିଭାଜନ କରେ ନାହିଁ, ଯୋଡି ଦେଇଥାଏ ।” ଗାନ୍ଧୀଙ୍କ ପ୍ରଚେଷ୍ଟା ବଳରେ ଓ ଅନ୍ୟପକ୍ଷରେ କହିବାକୁ ଗଲେ ଗାନ୍ଧୀଙ୍କ ସନ୍ଦେଶକୁ ବୁଝିପାରିଥିଲା । କୋଲକାତା ସାମ୍ପ୍ରଦାୟିକ ହିଂସା କମିଥିଲା । ବିଭାଜନ ବିଭିଷିକା ଦିବସ ପାଳିତ ହେଉ । କିନ୍ତୁ ବିଭିଷିକାକୁ ମନେ ପକାଇବାର ଅର୍ଥ କିଛି ରହିବ ନାହିଁ ଯଦି ଆମେ ତାର କାରଣକୁ ବୁଝି ନପାରିବା । ଏକଥା ମଧ୍ୟ ବୁଝିବା ଆବଶ୍ୟକ ଯେ, ୭୫ବର୍ଷ ପୂର୍ବେ ହିନ୍ଦୁ ମୁସଲମାନ ପରସ୍ପରର ଶତ୍ରୁ ହୋଇ ଯାଇଥିଲେ କାହିଁକି? ଏକଥା ମଧ୍ୟ ସତ୍ୟ ଯେ, ନିରପରାଧ ଲୋକଙ୍କର ଶବକୁ ନେଇ ରେଳଗାଡି ଲାହୋରରୁ ଅମୃତସର ଆସିଥିଲା ଓ ପ୍ରତି ବଦଳରେ ଅମୃତସରରୁ ରେଳଗାଡି ମଧ୍ୟ ଲାହୋର ଯାଇଥିଲା । ଆଉ ଏମିତି ଘଟଣା ଯେମିତି ନଘଟିବ ସେ କଥା ଆମେ ଚିନ୍ତା କରିବା ଉଚିତ୍ । କିନ୍ତୁ ଆମେ ସେମିତି ଚିନ୍ତା କରୁନାହେଁ । ଏକ ଲଜ୍ଜାଜନକ ସତ୍ୟ ହେଉଛି ଦେଶରେ ଯେତେବେଳେ ସାମ୍ପ୍ରଦାୟିକ ଘଟଣା ଘଟୁଛି ସେତେବେଳେ ରାଜନୈତିକ ଦଳମାନେ ଘଟଣାକୁ ରୋକିବା ପରିବର୍ତ୍ତେ ସେଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଛନ୍ତି । ବିଭାଜନ ବିଭିଷିକା ଦିବସ ପାଳିତ ହେଉ । କିନ୍ତୁ ଧର୍ମକୁ ନେଇ ସମ୍ପ୍ରଦାୟକୁ ନେଇ ଆଉ ଯେପରି ହିଂସାକାଣ୍ଡ ନଘଟୁ ସେଥିପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ । ଧର୍ମ ପାଇଁ ମନୁଷ୍ୟତାକୁ ଭୁଲଯିବା ଅନୁଚିତ୍ । ମନୁଷ୍ୟତା ବଞ୍ଚି ରହୁ ।
ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪