ଦଳ ନୁହେଁ, ଦେଶ ବଡ

।। ମାୟାଧର ନାୟକ ।। ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱସଂଘାତ ସମାଜ ଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତହାଣୁଛି ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକ ମଣିଷ ପାଇଁ ପ୍ରସ୍ତୁତ ନହୋଇ ଉଦ୍ଦିଷ୍ଟହେଉଛି ଅର୍ଥକୁବେରବର୍ଗ ନିମନ୍ତେ ଏବଂ ସମ୍ବଳସବୁ ସମାଜ ପାଇଁ ବିନିର୍ଯୁକ୍ତ ନହୋଇ ବିନିର୍ବ୍ୟୟିତ ହେଉଛି ରାଜନୈତିକ ଦଳୀୟତାର ହାତପାଣ୍ଠିବର୍ଦ୍ଧକ ସମୃଦ୍ଧି ସକାଶେ । ଏହି ଦୃଷ୍ଟିରୁ ଗଣତନ୍ତ୍ରର ମୂଳସତା ବ୍ୟକ୍ତିର ଅଧିକାର ଅସୁରକ୍ଷିତ । ମାନବିକ ଅଧିକାର ମଧ୍ୟ ଉଲ୍ଲଘିଂତ । ନାଗରିକ କହିଲେ ଆମେ କେବଳ ଦେଖୁଛୁ ଗୁଡିଏ ନିରୁପାୟ ଭୋଟର୍‌ଙ୍କୁ – ଯେଉଁମାନେ ସାଂପ୍ରତିକ ସାମାଜିକ ପ୍ରହସନର ଜଣେ ଜଣେ ନୀରବ ଦର୍ଶକ ।

ସମାଜଜୀବନର ଅବକ୍ଷୟକୁ ଆମେସବୁ ଅଙ୍ଗେ ନିଭାଉଛୁ ବିଭିନ୍ନ ସ୍ତରରେ । ଆଜି ଯୁଆଡେ ଚାହିଁଲେ ଉପଦ୍ରବ, ଉତ୍ପୀଡନ, ଅସନ୍ତୋଷ, ଅନଟନ ଓ ଆତଙ୍କବାଦର ବୁଢିଆଣୀଜାଲ । ପ୍ରକୃତି ପ୍ରତି ଅବିଚାରିତ ମୃତ୍ୟୁଦଣ୍ଡ ଘୋଷଣାକରି ଶିଳ୍ପସମୃଦ୍ଧି ନାମରେ ସାରାସମାଜକୁ ମୁହାଁଇ ନିଆଯାଉଛି ଏକ ନାରକୀୟ ଭବିଷ୍ୟତଆଡେ । ଜଳ-ଜମି- ଜଙ୍ଗଲର ଜହ୍ଲାଦବର୍ଗ ଜୁଲମ ଚଳାଉଛନ୍ତି ରାଷ୍ଟ୍ର ବ୍ୟବସ୍ଥାକୁ କାଏମ୍‌କରି ରଖିଥିବା ଶାସକ, ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଓ ପରିପାଳିତ ସୂତ୍ରଧରମାନଙ୍କ ସହାୟତାରେ । ଦେଶର ନିରନ୍ନ ନିରୀହଜନସାଧାରଣ ଆଜି ସ୍ୱାଧୀନତାର ଶାସ୍ତି ଦେଖୁଛନ୍ତି ମହାଦୁର୍ନୀତିର ମଂଚଭୂମିରେ । ଚୋର, ତସ୍କର, ଚଂଚକ, ଶଠ, ହରିଲୁଟ୍‌କାରୀ, ହତ୍ୟାକାରୀ, କଳାକାରବାରୀମାନେ ଶାସନ ଓ ପ୍ରଶାସନକୁ କ୍ରମେ ଯେପରି କରାୟତ କରିଚାଲିଛନ୍ତି, ସେଥିରେ ଭାରତ ବର୍ଷରେ ଗଣତନ୍ତ୍ରର ମୂଳଉତ୍ପାଟିତ ହେବାର ବେଳ ଯେ ଘନାଇ ଆସିସାରିଲାଣି – ଏଥିରେ କଣ ଆଉ ତିଳେମାତ୍ର ସଂଶୟରହିଛି ? ଅଧିକାଂଶ ରାଜନେତା ନିଜନିଜ ନୈତିକ ଦାୟିତ୍ୱକୁ ଭୁଲି ଆତ୍ମସମର୍ପଣ କରିସାରିଛନ୍ତି ଚଂଚକବର୍ଗର ଚକ୍ରବ୍ୟୁହ ମଧ୍ୟରେ । ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତା ଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣ କରୁଛନ୍ତି ଗ୍ରାମରାଜ୍ୟ କି ରାମରାଜ୍ୟର ମେହନତୀ ମଣିଷମାନଙ୍କ ପାଇଁ ନୁହେଁ – ନଗରନିବାସୀ ସୌଖିନ୍ ପରାଙ୍ଗପୁଷ୍ଟ ସୌଦାଗର ଶ୍ରେଣୀ ପାଇଁ । ସୌଦାଗରୀ ସଭ୍ୟତା ସଂପ୍ରତି ନିଶ୍ଚିହ୍ନ କରିବାକୁ ଯାଉଛି ଆମର ମୌଳିକ ସଂସ୍କୃତିର ମୂଲ୍ୟବୋଧକୁ । ରାଜନୀତି ଯେପରି ଜନସାଧାରଣଙ୍କୁ କରିସାରିଛି କଂଜ୍ୟୁମର୍‌ ବା ଗ୍ରାହକ । ସାଂପ୍ରତିକ ଭାରତବର୍ଷର ଏ ଦୁଇ ଚରିତ୍ରର ସ୍ଫଳନକୁ ଲକ୍ଷ୍ୟକଲେ ଆମେ ଅବଗତ ହୋଇପାରିବା ଅବକ୍ଷୟର ଅସଲ କାରଣ । ମତଦାତାମାନେ ନକଲି ନେତୃତ୍ୱ ଦ୍ୱାରା ପ୍ରବଂଚିତ ହୋଇସାରିଥିବାବେଳେ ଗ୍ରାହକମାନେ ଭେଜାଲ୍‌ ବଜାର ଦ୍ୱାରା ଭୟଙ୍କର ଭାବରେ ମୂଲୁଣ୍ଠିତ !

କିଣାବିକାର ବଜାରରେ ଭୋଟ୍ ଓ ନୋଟ୍‌ର ଅଙ୍ଗାଙ୍ଗୀଭାବରେ ଜଡିତ ହେବାର ଇତିହାସ ସ୍ୱାଧୀନତା ପରବର୍ତୀକାଳର ଏକ ବିକୃତ ବିଡମ୍ବନା । ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତ ହୋଇସାରିଥିବା ବେଳେ ଅର୍ଥନୀତି ଏବେ ପାଲଟିଛି ପାଳଭୂତ – ଶୋଷଣ ସର୍ବସ୍ୱ ବଣିକ ବର୍ଗର ନିଆଁଗିଳା ପାଉଁଶ କ୍ଷେତରେ ! ନବ୍ୟ ପୁଞ୍ଜିବାଦ ଏବେ ଶ୍ରମିକମାନଙ୍କୁ ବିପ୍ଲବୀ ତତ୍ୱଠାରୁ ଦୂରେଇ ରଖିବାର ଅଭିସନ୍ଧିରେ ଯୋଗାଇ ଦେଉଛି ଗୋଟିକ ପରେ ଗୋଟିଏ ସୁବିଧା ସୁଯୋଗ – ବଳି ପକାଇବା ପୂର୍ବରୁ ବୋଦା ବେକକୁ ଯେପରି ବଡବଡ ଫୁଲମାଳରେ ସଜାଇ ଦିଆଯାଏ ! ଶିଳ୍ପବିସ୍ତାର ଦ୍ୱାହିରେ ସାମାଜିକ ସୁବର୍ଣ୍ଣଯୁଗର ସ୍ଲୋଗାନ୍‌ ଶୁଣାଇ ମୁନାଫାଖୋର ମହାଜନବର୍ଗର ମତଲବୀ ମାତବରମାନେ ଗାଆଁରୁ ଗଡଜାତଯାଏଁ ବିଛାଇ ଚାଲିଛନ୍ତି ମାୟାଜାଲ । ପ୍ରକୃତିରେ ବିକୃତି, ପରିବେଶରେ ପ୍ରଦୂଷଣ, ମଣିଷର ମାଟି ପାଣି ପବନରେ ବିଷ ପ୍ରକ୍ରିୟା । କୃଷକର ଜୀବନକ୍ଷେତ୍ର ଆଜି ଶ୍ମଶାନକ୍ଷେତ୍ର । ଗାଆଁସବୁ ଭବିଷ୍ୟତର ଗର୍ଭପାତରେ ଜର୍ଜରିତ । ମଫସଲ ମୂଳପୋଛ । ମଣିଷପଣ ମୁମୁର୍ଷୂ ।

ଭାରତବର୍ଷ-ସମ୍ବିଧାନରେ ଯାହାର ପରିଚିତ ‘ଭାରତ ଦ୍ୟାଟ୍‌ଇଜ୍‌ ଇଣ୍ଡିଆ’ ଏକ ବିଭକ୍ତିବ୍ୟକ୍ତିତ୍ୱର ଅଭିବ୍ୟକ୍ତି । ଏକ ଆତ୍ମବିଭକ୍ତି ରାଷ୍ଟ୍ର – ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଧର୍ମୀୟ, ଏପରିକି ରାଜନୈତିକ ଦୃଷ୍ଟିଭଙ୍ଗୀଟିଏ, ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଆଶାନୁରୂପ ଭାବରେ ହାସଲ କରିପାରିନାହାନ୍ତି । ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ, ଭାଷଣ ପରେଭାଷଣ, ଶାସନ ପରେଶାସନ, ଯୋଜନା ପରେଯୋଜନା – ସବୁକେବଳ ପ୍ରବଂଚନା ପରେ ପ୍ରବଂଚନା । ଏବଂ ଏ କ୍ରମାଗତ କରାଳ ପ୍ରବଂଚନାର ଦୟନୀୟ ଶିକାର ହୋଇଆସୁଛି ଦୁର୍ଗତ ଭାରତୀୟ ମହାଜାତି ।

ସ୍ୱାଧୀନତା – ଯାହାକୁ ବହୁ ବର୍ଷର ସଂଗ୍ରାମଲବ୍ଧ ମହାର୍ଘ ମୁକ୍ତିରୂପେ ବିଜ୍ଞପ୍ତି କରାଯାଇଆସୁଛି, ତାର କୌଣସି ପ୍ରକୃଷ୍ଟ ପ୍ରଭାବ ଜନଜୀବନରେ ରେଖାପାତ କରିଥିବା ଭଳି ମନେ ହେଉନାହିଁ । ଦେଶର ମୁକ୍ତି- ଅଥଚ ଜାତୀୟଜୀବନର ଚରମ ଅଧୋଗତି ! ଏହା କ’ଣ ସ୍ୱାଧୀନତାର ସ୍ୱାଦ ? ବରଂ ଗୋଟାଏ ବିଡମ୍ବନାମୟ ବିଭାଜନର ନିର୍ଲଜ୍ଜ ନାମାନ୍ତର ଏ ସ୍ୱାଧୀନତା । ସ୍ୱାଧୀନତା ଆସିଛି କେବଳ ପାଠ୍ୟ ପୁସ୍ତକରେ, ପୋଷ୍ଟରରେ, ପତାକାରେ- ସାଧାରଣସ୍ତରରେ ସଂଘର୍ଷରତ ଜନଜୀବନରେ ନୁହେଁ । ବରଂ ଭାରତବର୍ଷର ଭଙ୍ଗା ଭୂଗୋଳଭଳି ଭାରତୀୟ ସଂକୀର୍ଣ୍ଣତାର ଛୋଟଛୋଟ ହିଡରେ ଏ ଭାରତବର୍ଷ ଗୋଟାଏ ବନ୍ଦୀ ଚକବନ୍ଦୀର ଚକଡା… ବିଭିନ୍ନ ମୁଖାପିନ୍ଧି ମତଲବର ବିଚିତ୍ର ଆଖଡା !

ଭାରତବର୍ଷର ରାଜୀନତି ରୁଗ୍‌ଣ, ଅର୍ଥନୀତିଋଣୀ, ଧର୍ମରରଙ୍ଗ ଧୂସର । ଏହି ଅବସ୍ଥା ଏକ ଅରାଜକତା ଓ ଅସୁସ୍ଥ ଅବ୍ୟବସ୍ଥା ଛଡା ଆଉ କ’ଣ ? ଏହି ଅବାଂଛନୀୟ ଅବସ୍ଥାରୁ ହିଁ ଜନ୍ମ ନିଏ ଆତଙ୍କବାଦ, ଅବିଶ୍ୱାସ, ଅନ୍ଧାକାନୁନ୍‌ର ବିଷାକ୍ତ ବାତାବରଣ । ବିଷମଞ୍ଜି ଆଜି ବିଶାଳ ବିଷବୃକ୍ଷ । ସେବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃ ରାଶରେ ପରିଣତହୋଇଛି ଆମ ସମସ୍ତଙ୍କ ପକ୍ଷରେ।

ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ – ଗୋଟିଏ ଭାତହାଣ୍ଡିର ଚାଉଳ । ସବୁଠି ସେଇ ସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳ ଶୂନ୍ୟତା । ଏହା ନିଶ୍ଚିତ ପକ୍ଷରେ ଯେକୌଣସି ରାଜନୈତିକ ଦଳ, ଯିଏ ଶାସନ ଓ କ୍ଷମତା ବଂଟୁଆରାର ଖୋଳରେ ଜର୍ସି ପିନ୍ଧିବାକୁ ଆଗେଇ ଆସୁଛି- ତା’ ପାଇଁ ମସ୍ତବଡ ଚାଲେଞ୍ଜ । ମାତ୍ର ଏ ଚାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କୋତୋଟି ଦଳ ନିକଟରେ ରହିଚି ?

ବର୍ତମାନର ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପ୍‌ଚାପ୍‌ ବସି ରହିବା ଆଦୌ ନିରାପଦ ନୁହେଁ । ପ୍ରତ୍ୟେକ ରାଜନୈତିକ ଦଳରୁ ପରିଚ୍ଛନ୍ନ ଭାବମୂର୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦୃଷ୍ଟିରୁ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆହୋଇ ପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ ।

ଜନଗଣଙ୍କୁ ପରାଧୀନ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତକରି କୌଣସି ରାଜନୈତିକ ଦଳକୁ ଗଣତନ୍ତ୍ର ନାଆଁରେ ଗାଦିରେ ଠାକୁର କରି ବସାଇ ଦେଉଥିବା ଯାଏଁ- ଆମେ କେବଳ ଏକ ସୁବିଧାବାଦର ସଡକରେ ମୋରମ୍‌ ବିଛାଇ ଚାଲୁଥିବା । ରାଜନୈତିକ ଦଳମାନେ ଦଳୀୟ ସ୍ୱାର୍ଥ ନୁହେଁ, ଜାତୀୟ ସ୍ୱାର୍ଥ ଓ ରାଷ୍ଟ୍ରୀୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରିବାର ଚିନ୍ତନ ଓ କାର୍ଯ୍ୟ ଆରମ୍ଭ କରନ୍ତୁ- ଲୋକମାନଙ୍କ ଭିତରେ ପୁଣି ଫେରାଇ ଆଣନ୍ତୁ ଏକ ସକାରାତ୍ମକ ନେତୃତ୍ୱର ପତିଆରା ।

ବର୍ତମାନ ନକରାତ୍ମକ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି- ଏବଂ ଏ ବ୍ୟାଧି ଉତ୍କଟଭାବରେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବା ପାଇଁ ସୁଦ୍ଧାତୟାର୍ – ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ ?

ଯେତେବେଳେଏହାହିଁ ଅବସ୍ଥା, ସେତେବେଳେ ନିର୍ବାଚନ ମଂଚରେ ବ୍ୟବସ୍ଥାକୁ ବଦଳାଇବାର ଘଷରା ଘୋଷଣା କେବଳ ତୁମ୍ବିତୋଫାନ୍ । ଦେଶର ସମସ୍ତ ରାଜନୈତିକ ଦଳ, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବର୍ତମାନ ଗୋଟିଏ ମଂଚରେ ଏକାଠିହୋଇ ସଠିକ୍‌ ବିଚରଣ ଓ ବିଶ୍ଲେଷଣର ପର୍ଯ୍ୟାୟ ଆରମ୍ଭ କରନ୍ତୁ- ପରସ୍ପରକୁ ବିରୋଧ କରିବାରେ ସମୟ ନଷ୍ଟ ନକରି ସେଇ ସମୟସୀମା ମଧ୍ୟରେ ବରଂ ନିଜ ନିଜର ସ୍ୱବିରୋଧ, ଦ୍ୱନ୍ଦ ଓ ଆତ୍ମବିଭକ୍ତି ମାନସିକତାରୁ ମୁକ୍ତି ପାଇବାର ବାଟ ଖୋଜନ୍ତୁ । ଏହାହିଁ ଆଜି ଭାରତବର୍ଷର ଆତ୍ମିକ ଆହ୍ୱାନ !

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published.

Back to top button