ଲୋକପ୍ରିୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନମ୍ବର ୱାନ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ହୋଇଛନ୍ତି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏହି ରିପୋର୍ଟ ଦେଇଛି।

ଖବର ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବୃହତ ଦେଶର ନେତାଙ୍କୁ ପଛରେ ପକାଇ ମୋଦି ହୋଇଛନ୍ତି ବିଶ୍ଵର ନମ୍ବର ୱାନ। ମର୍ଣ୍ଣିଂ କନସଲ୍ଟ
ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬ ପ୍ରତିଶତ ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟ। ତାଙ୍କ ରେଟିଂ ପଏଣ୍ଟ ୬୪ ପ୍ରତିଶତ ଥିବା ବେଳେ ମୋଦିଙ୍କର ରେଟିଂ ପଏଣ୍ଟ ୧୨ ପ୍ରତିଶତ ଅଧିକ। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧ ପ୍ରତିଶତ।

ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ପ୍ରକାଶ ପାଇଛି ରିପୋର୍ଟ। ପୂର୍ବରୁ ମଧ୍ୟ ସଂସ୍ଥା ରିପୋର୍ଟରେ ମୋଦି ୧ନଂ ସ୍ଥାନରେ ରହି ଆସୁଛନ୍ତି। ଏଥର ମୋଦିଙ୍କ ଡିସଆପ୍ରୁଭାଲ ବା ଗ୍ରହଣୀୟ ନୁହନ୍ତି ପଏଣ୍ଟ ସଂଖ୍ୟା ମାତ୍ର ୧୮ ପ୍ରତିଶତ। ଏହା ବିଶ୍ୱର ସବୁ ନେତାଙ୍କ ଠାରୁ କମ। ଟପ୍ ୧୦ରେ ଥିବା କାନାଡା ପ୍ରଧାନମନ୍ତ୍ରି ଜଷ୍ଟିନ ଟ୍ରୁଡୋଙ୍କ ଡିସ ଆପ୍ରୁଭାଲ ପଏଣ୍ଟ ସବୁଠାରୁ ଅଧିକ ୫୮ ପ୍ରତିଶତ ରହିଥିବା ବେଳେ ଆପ୍ରୁଭାଲ ପଏଣ୍ଟ ୩୭ ପ୍ରତିଶତ।

ସେହିପରି ତାଲିକାରେ ରହିଥିବା ମୋଟ ୨୨ ଜଣ ନେତା ମଧ୍ୟରେ ଶେଷ ରାଜନେତା ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୨୦ ପ୍ରତିଶତ। ତାଙ୍କ ସହ ସମାନ ଆପ୍ରୁଭାଲ ରେଟିଂ ପଏଣ୍ଟ ସହ ଚେକ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପାଭେଲ ସବୁଠାରୁ ଶେଷରେ ଅଛନ୍ତି। ଏହାଛଡା ବିଶ୍ୱ ଲୋକପ୍ରିୟତା ତାଲିକାର ୪ର୍ଥ ସ୍ଥାନରେ ବ୍ରାଜିଲର ଲୁଲା ଡା ସିଲିଭା, ୫ମରେ ଅଷ୍ଟ୍ରେଲିଆର ଆନ୍ଥୋନୀ ଆଲବାନେସ, ୬ଷ୍ଠରେ ଇଟାଲୀର ଜର୍ଜିଆ ମେଲୋନି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦ ପ୍ରତିଶତ ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ, ୮ମରେ ସ୍ପେନର ପେଣ୍ଡ୍ରୋ ସାଞ୍ଜେଜ ଓ ୯ମରେ ଆୟର୍ଲ୍ୟାଣ୍ତର ଲିଓ ଭାରାଡକର ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button