ଦେଶର ପ୍ରତି ଅଞ୍ଚଳକୁ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରିବାକୁ ଆଉ ବେଶିଦିନ ଲାଗିବନି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ୯ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ଏହା ହେଉଛି ଆଧୁନିକ ସଂଯୋଗ ଓ ବେଗ ଭିତ୍ତିଭୂମି ବିକାଶର ଦୃଷ୍ଟାନ୍ତ। ସେ କହିଛନ୍ତି ଗୋଟିଏ ସହରରୁ ଆଉ ଗୋଟାଏ ସହରକୁ ଯିବା ନିମନ୍ତେ ଯେଉଁମାନଙ୍କ ପାଖରେ ସମୟ କମ୍‌ ଅଛି ସେମାନଙ୍କ ପାଇଁ ଏ ଟ୍ରେନ୍‌ ଖୁବ୍‌ ମହତ୍ତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବେଗ, ଭିତ୍ତିଭୂମି ବିକାଶର ପରିମାଣ ୧୪୦ କୋଟି ଭାରତୀୟଙ୍କ ଆକାଙ୍‌କ୍ଷାର ସମକକ୍ଷ ହୋଇପାରିଛି। କେନ୍ଦ୍ର ସରକାର ମଧ୍ୟ ଭାରତୀୟ ରେଳର ବଜେଟ୍‌ ବୃଦ୍ଧି କରିଛନ୍ତି। ସରକାର ‘ମଲ୍‌ଟି-ମୋଡାଲ୍‌’ ସଂଯୋଗ ନିମନ୍ତେ ମଧ୍ୟ କାର୍ଯ୍ୟ ଚଳାଇଛନ୍ତି।

ସେ କହିଲେ ୨୫ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଥିଲା। ଏବେ ଆଉ ୯ଟି ଚାଲିବା ଆରମ୍ଭ କଲା। ଆଉ ଅଳ୍ପଦିନ ପରେ ଏହି ଟ୍ରେନ୍‌ ଦେଶର ସବୁ ପ୍ରାନ୍ତକୁ ସଂଯୋଗ କରିବ। ସହଜସାଧ୍ୟ ଯାତ୍ରା ଉପରେ ସରକାର ଗୁରୁତ୍ଵାରୋପ କରିଥିବା ବେଳେ ବନ୍ଦେ ଭାରତ ତାହା ସାକାର କରୁଛି। ପୂର୍ବ ସରକାର ସବୁ ରେଳବାଇ ଉପରେ ଯେତେ ଗୁରୁତ୍ଵ ଦେବା କଥା ଦେଉ ନ ଥିଲେ। ସ୍ଵାଧୀନତା ପୂର୍ବରୁ ହଜାର ହଜାର ଷ୍ଟେସନ୍‌ ନିର୍ମାଣ କରାଯାଇଥିଲା ଓ ସେସବୁର ଆଧୁନିକୀକରଣ ପାଇଁ କାର୍ଯ୍ୟକ୍ରମ କରାଯାଇଛି।

ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ୯ଟି ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌ ଟ୍ରେନ୍‌ ମଧ୍ୟରେ ରହିଛି ‘ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘ତିରୁନେଲବେଲି-ମଦୁରାଇ-ଚେନ୍ନାଇ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘ହାଇଦ୍ରାବାଦ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘ବିଜୟୱାଡ଼ା-ଚେନ୍ନାଇ (ରେନିଗୁଣ୍ଟା ଦେଇ) ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘ପାଟନା-ହାଓଡ଼ା ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘କସରଗୋଡ଼-ତିରୁଅନନ୍ତପୁରମ୍‌ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘ରାଉରକେଲା-ଭୁବନେଶ୍ବର-ପୁରୀ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’, ‘ରାଞ୍ଚି-ହାଓଡ଼ା ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’ ଓ ‘ଜାମନଗର-ଅହମଦାବାଦ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’।

Leave a Reply

Your email address will not be published. Required fields are marked *

Back to top button