ପାକିସ୍ତାନରୁ ଫେରିଥିବା ଅଞ୍ଜୁଙ୍କ ଯୋଜନା : ପିଲାଙ୍କ ସହ ଦୁବାଇରେ ରହିବେ

ନୂଆଦିଲ୍ଲୀ : ପ୍ରେମ ପାଇଁ ପାକିସ୍ତାନ ପଳାଇଯାଇ ଚର୍ଚ୍ଚାରେ ରହିଥିଲେ ବିବାହିତା ମହିଳା ଅଞ୍ଜୁ। ଗତ ୨୯ ତାରିଖରେ ସେ ଭାରତ ଫେରିବା ପରେ ଏବେ ଦିଲ୍ଲୀରେ ଅଛନ୍ତି। କିନ୍ତୁ ପରିବାର ସହିତ ଯୋଗାଯୋଗ ହୋଇପାରିନି। ଏ କଥା ଅଞ୍ଜୁ କହିଥିବା ବେଳେ ତାଙ୍କର ଭବିଷ୍ୟତ ଯୋଜନା ପିଲାଙ୍କ ସହ ଦୁବାଇରେ ରହିବେ। ହେଲେ ଭାରତୀୟ ସ୍ୱାମୀ ଅରବିନ୍ଦା ନା ପାକିସ୍ତାନର ନସରୁଲ୍ଲାଙ୍କ ସହିତ ରହିବାକୁ ପସନ୍ଦ କରିବେ ସେ ସମ୍ପର୍କରେ କିଛି କହିନାହାନ୍ତି।

ଖବର ଅନୁଯାୟୀ ଏକ ସାକ୍ଷାତକାରରେ ଅଞ୍ଜୁ କହିଛନ୍ତି ଭାରତ ଫେରି ହରିୟାଣା ଓ ଏବେ ଦିଲ୍ଲୀରେ ଅଛି। ସ୍ଵାମୀ ଅରବିନ୍ଦ ଓ ପିଲାମାନଙ୍କ ସହ କଥା ହୋଇଛି। ଆମ ବିବାହ ବିଚ୍ଛେଦ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର। ସେ କହିଛନ୍ତି ଭାରତ ଆସିବା ପରେ ମୋତେ ମୋ’ ପରିବାର ଲୋକଙ୍କ ସମର୍ଥନ ମିଳୁନଥିବାରୁ ସବୁ ସମସ୍ୟାର ମୁକାବିଲା ଏକୁଟିଆ କରିବାକୁ ପଡ଼ୁଛି। ଏହାସତ୍ତ୍ୱେ ପିଲାମାନେ ମୋ’ ପାଖକୁ ଫେରିବେ ବୋଲି ବିଶ୍ୱାସ ରହିଛି। ସେମାନଙ୍କ ଭବିଷ୍ୟତ ପାଇଁ ଭାରତ କିମ୍ବା ପାକିସ୍ତାନ ନୁହେଁ ଦୁବାଇରେ ରହିବାକୁ ସ୍ଥିର କରିଛି। ପାକିସ୍ତାନୀ ସ୍ୱାମୀ ନସରୁଲ୍ଲାଙ୍କ ସହ ଏବେ ଯୋଗାଯୋଗରେ ରହିଛନ୍ତି। ପ୍ରାୟ ୨ ମାସ ପରେ ନସରୁଲ୍ଲା ଭାରତ ଆସିବେ ବୋଲି ଅଞ୍ଜୁ କହିଛନ୍ତି। ହେଲେ କୁହାଯାଉଛି ଭାରତୀୟ ସ୍ୱାମୀ ଅରବିନ୍ଦଙ୍କୁ ଡିଭୋର୍ସ ଦେବାକୁ ଅଞ୍ଜୁ ଭାରତ ଆସିଛନ୍ତି। ହରିୟାଣାର ଭିୱାଡ଼ି ଥାନାରେ ଅରବିନ୍ଦ ତାଙ୍କ ନାଁରେ ଏତଲା ଦେଇଥିବାରୁ ଅଞ୍ଜୁ ଭାରତ ଫେରିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିଛି।

ସୂଚନାଯୋଗ୍ୟ ୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦଙ୍କୁ ବିବାହ କରିଥିଲ। ବିବାହକୁ ୧୮ ବର୍ଷ ପୁରିଥିବା ବେଳେ ସେମାନଙ୍କର ୧୬ ବର୍ଷୀୟା ଝିଅ ଓ ୬ ବର୍ଷର ପୁଅ ଅଛନ୍ତି। ୨୦୧୯ରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକ୍‌ରେ ବନ୍ଧୁତା ପରଠାରୁ ଅଞ୍ଜୁ-ଅରବିନ୍ଦଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ଅଞ୍ଜୁ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲିଯାଇ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button