ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ହାତେଇବା ପୂର୍ବରୁ ୩ ବନ୍ଧାହେଲେ

ନବରଙ୍ଗପୁର : ନକଲି ମୃତ୍ୟୁ ଓ ଉତ୍ତାରାଧିକାରୀ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ହାତେଇବାକୁ ଉଦ୍ୟମ। ଏହି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟଅଭିଯୁକ୍ତ ଫେରାର ଥିବା ଜଣାପଡିଛି।
ଖବର ଅନୁଯାୟୀ ତାରାଗାଁ ଗାଁର ପଦ୍ମନ ହରିଜନ, ଡଙ୍ଗରିଗୁଡାର ଗୋପାଳ ତନ୍ତି, ପଖନାଗୁଡାର ରଞ୍ଜିତା ହରିଜନ ଓ ଶରଣପୁରର ମୂରଲୀ ବିଷୋୟୀଙ୍କ ସହାୟତାରେ ଆଖପାଖ ଅଞ୍ଚଳର ଲୋକଙ୍କର ଆଧାରକାର୍ଡ, ଶ୍ରମିକ କାର୍ଡ ଓ ବ୍ୟାଙ୍କ ପାସ୍ ବୁକ୍ ସଂଗ୍ରହ କରୁଥିଲେ। ଋଣ କରାଇଦେବାକୁ କହି ଏ ସବୁ ହାତେଇବା ପରେ ନକଲି ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତିଆରି କରିଥିଲେ। ପ୍ରାୟ ୧୦ ଜଣଙ୍କରେ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ରକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ୍ରେ ଜମାକରି ସହାୟତା ରାଶି ବାବଦକୁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲା ଶ୍ରମ ବିଭାଗ କାଗଜପତ୍ରର ଯାଞ୍ଚ କରି ସହାୟତା ରାଶି ମଞ୍ଜୁର କରିଥିଲେ। ଟଙ୍କା ବ୍ୟାଙ୍କ ଖାତାକୁ ଯିବା ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ମୃତକଙ୍କ ଗାଁକୁ ଯାଇ ଯାଞ୍ଚକରିବା ପରେ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ତିନିଜଣଙ୍କୁ ଗିରଫ କରିଛି।



























