ଖବରକାଗଜରେ ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

ନୂଆଦିଲ୍ଲୀ : ଖବରକାଗଜରେ ପରଷା ଯାଉଥିବା ଖାଦ୍ୟ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ। କାରଣ ଛପା ହେଉଥିବା କାଳିରେ ସୀସା ସହ ଅନ୍ୟାନ୍ୟ ଧାତବ ପଦାର୍ଥ ରହୁଛି। ତେଣୁ ଖାଦ୍ୟ ସାମଗ୍ରୀକୁ ଖବରକାଗଜରେ ଗୁଡାଇ ରଖିବା, ପରଷିବା କିମ୍ବା ସଂରକ୍ଷିତ ନ ରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ ଖବରକାଗଜ ପ୍ରସ୍ତୁତ ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଦେଇ ଯାଇଥାଏ। ସେଥିରେ ଜୀବାଣୁ , ଭୂତାଣୁ ଓ ଅନ୍ୟ ହାନିକାରକ ଉପାଦାନ ଖାଦ୍ୟ ସାମଗ୍ରୀରେ ମିଶିବାର ଆଶଙ୍କା ରହିଛି। ଖବରକାଗଜରେ ରହିଥିବା ଧାତବ ପଦାର୍ଥ ଖାଦ୍ୟରେ ମିଶିଲେ ବିଷାକ୍ତ ହେବାର ଆଶଙ୍କା ରହିଛି। ତେଣୁ ଏଥିରେ ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ଏଫଏସଏସଏଆଇ ସିଇଓ ଜି. କମଳାବର୍ଦ୍ଧନ ରାଓ କହିଛନ୍ତି।

ସେହିଅପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୟନ୍ତ ପଣ୍ଡା କହିବା ଅନୁଯାୟୀ ଖାଦ୍ୟ ଠିକ୍‌ ଭାବେ ରଖା ନ ଗଲେ ତାହା ଅନ୍ୟ ଜିନିଷ ସଂସ୍ପର୍ଶରେ ଆସିଥାଏ। ଏହାକୁ ଖାଇବା ଦ୍ୱାରା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସହିତ ପେଟ କାଟିବା, ବାନ୍ତି ଓ ଜ୍ୱର ହୋଇଥାଏ। ତେଣୁ କେବଳ ରାନ୍ଧିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ରାନ୍ଧି ସାରିବା ପରେ ଠିକ୍‌ ଭାବେ ଖାଦ୍ୟ ପଦାର୍ଥକୁ ରଖିବା ସହ ତାହାକୁ ପରଷିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।

ସେ କହିଛନ୍ତି ଖବରକାଗଜରେ ବ୍ୟବହାର ହେଉଥିବା କେମିକାଲ ସଂସ୍ପର୍ଶରେ ଆସିଲେ ଜଣ୍ଡିସଠୁ ଆରମ୍ଭ କରି କିଡନୀ ଫେଲ୍‌ ହୋଇପାରେ। ଲିଭର, ଫୁସଫୁସକୁ ତାହା ଅକାମୀ କରିଦିଏ। ତେଣୁ ଭୋକ କମିଯିବା, ପେଟ ଫମ୍ପାଇବା, ପରିସ୍ରା ହଳଦିଆ ହେବା, ପରିସ୍ରା କମିଯିବା ପରି ସମସ୍ୟା ଦେଖା ଦେଇଥାଏ। ଏହା ବଦଳରେ ଜୀବାଣୁମୁକ୍ତ ଖାଦ୍ୟ ପ୍ଲେଟ ବ୍ୟବହାର କରିବା ଉଚିତ।

Leave a Reply

Your email address will not be published. Required fields are marked *

Back to top button