ଇଣ୍ଡିଆ ମେଣ୍ଟରୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଜେଡିୟୁର ଦାବି

ପାଟନା : ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଜେଡିୟୁ ଦାବି କରିଛି।
ଖବର ଅନୁଯାୟୀ ବିହାର ବିଧାନସଭାର ଉପବାଚସ୍ପତି ମହେଶ୍ୱର ହଜାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ଜଣେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆବଶ୍ୟକ ସମସ୍ତ ଗୁଣ ରହିଛି। ଯେତେବେଳେ ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ସେତେବେଳେ ସେମାନେ କେବଳ ନୀତୀଶ କୁମାରଙ୍କ ନାଁ ନେବେ। ଭାରତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କଠାରୁ ଅଧିକ ଯୋଗ୍ୟ କେହି ନାହାଁନ୍ତି। ନୀତୀଶଙ୍କ ସହ ଜେଡିୟୁର ସମସ୍ତ ସଭାପତିଙ୍କ ସହ ବୈଠକ କରିବା ପରେ ଶ୍ରୀ ହଜାରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ନୀତୀଶ କୁମାର ଦେଶର ସବୁଠାରୁ ବଡ ସମାଜବାଦୀ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ରାମ ମନୋହର ଲୋହିଆ ଓ ଜେପିଙ୍କ ପରେ ନୀତୀଶ କୁମାର ହେଉଛନ୍ତି ସମାଜବାଦୀ ନେତା। ନୀତୀଶ ଭାରତ ସରକାରରେ ୫ଥର ମନ୍ତ୍ରୀ ଓ ୧୮ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି। ତାଙ୍କଠାରୁ ଅଧିକ ଯୋଗ୍ୟ କେହି ନାହାଁନ୍ତି। ନୀତୀଶ କୁମାର ହିଁ ସମଗ୍ର ବିରୋଧୀ ଦଳଙ୍କୁ ଏକତ୍ର କରିଛନ୍ତି। ତେଣୁ ଆଜି ନହେଲେ କାଲି ଇଣ୍ଡିଆ ମେଣ୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ।




























