କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ : ଏଣିକି ଚକ ଜମି ବିକ୍ରି ହେବ
ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟ ଆଜି ୧୮ଟି ପ୍ରସ୍ତାବ ଅନୁମୋଦନ ଦେଇଛି। ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଓ ଚକ ଜମି ବିକ୍ରି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ‘ମୋ ଘର’ ଯୋଜନା ସମେତ ଅନ୍ୟ ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ। ଏଥିପାଇଁ ୩୩୦.୧୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜୀକରଣ ଫି’ ଛାଡ଼ କରାଯାଇଥିବା ବେଳେ ଭିସୁଟ ରୂପାନ୍ତରଣ ପାଇଁ ୨ ହଜାର କୋଟି ବ୍ୟୟ ହେବ। ଏହାଛଡା ଭୁବନେଶ୍ଵରରେ ଥିବା ବିଭିନ୍ନ ପ୍ରାଚୀନ ସ୍ମାରକୀର ପୁନରୁଦ୍ଧାର ଲାଗି ୧୫୬ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିପରି କୋଣାର୍କ ମନ୍ଦିର ପରିସର ଓ ଚତୁଃପାର୍ଶ୍ଵକୁ ବିକଶିତ ଓ ଆକର୍ଷିତ କରିବା ଲାଗି ଏକ ସ୍ଵତନ୍ତ୍ର ପ୍ରକଳ୍ପ କରାଯିବ। ଏହା ବାବଦରେ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ।
ଏହାବ୍ୟତୀତ ୩୫୦ରୁ ଅଧିକ ପିଲା ପଢୁଥିବା ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଗଜପତିର ୨ଟି ପାନୀୟ ଜଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିପାଇଁ ୩୭୯.୧୭ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଏଣିକି ଚକବନ୍ଦୀ ଜମି ବିଭାଜିତ ହୋଇ ବିକ୍ରି ହୋଇପାରିବ। ଜମି ମାଲିକ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ। ଆଜି ଚକବନ୍ଦୀ ଆଇନର ଧାରା ୩୪ ଓ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ ୧୯୭୨ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ଥିଲା। ଧାରା ୩୫ ଅନୁଯାୟୀ ଯଦି ଧାରା ୩୪କୁ ଉଲ୍ଲଙ୍ଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହୋଇଥିବ ତାହା ଅବୈଧ ବିବେଚିତ ହେବ ଓ ଉଲ୍ଲଙ୍ଘନକାରୀଙ୍କୁ ଜମିରୁ ଉଛେଦ କରାଯିବ। ଏହି ଧାରା ୩୪ ଓ ୩୫କୁ ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିସହ ଦୁଇଟି ସିନେମା ‘ଡେଲିଭରି ବୟ’ ଏବଂ ଜ୍ୱିଗାଟୋ’କୁ କରମୁକ୍ତ କରାଯାଇଛି।
ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ଅନୁମୋଦନ ହୋଇଛି ୩୬୪.୪୦ କୋଟି ଟଙ୍କା। ୨୦୨୨-୨୩ ଓ ୨୦୨୪-୨୫ ବର୍ଷ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ କରାଯିବ। ସୌର ଶକ୍ତି ଜରିଆରେ ଜଳ ଉତ୍ତୋଳନକୁ କରି ଯୋଗାଇବା ପାଇଁ ପ୍ରୋତ୍ସାହନ ଦିଆଯିବ। ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଏକସାଇଜ କ୍ୟାଡରକୁ ଷ୍ଟେଟ କ୍ୟାଡର କରାଯାଇଛି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମକୁ ମଞ୍ଜୁରୀ ମିଳିଛି।


























