ବିଜେପିର ‘କଂଗ୍ରେସ ଫାଇଲସ୍’ରେ ୪୮,୨୦,୬୯,୦୦,୦୦,୦୦୦ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : କେନ୍ଦ୍ରର କ୍ଷମତାସୀନ ଭାରତୀୟ ଜନତା ପାର୍ଟି ସୋସିଆଲ ମିଡିଆରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ୍ କରିଛି। ଅଭିଯୋଗ କରିଛି କଂଗ୍ରେସ ଶାସନ କାଳରେ ଦେଶରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା।

ରବିବାର ବିଜେପି ‘କଂଗ୍ରେସ ଫାଇଲସ୍’ ନାମରେ ଅଭିଯୋଗର ପ୍ରଥମ ଅଧ୍ୟାୟ ଜାରି କରିଛି। ଦଳର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡଲରେ ଏହାକୁ ଟ୍ୱିଟ୍ କରାଯାଇଥିବା ବେଳେ ଏଥିରେ କଂଗ୍ରେସ ଶାସନ କାଳରେ କିପରି ଗୋଟିଏ ପରେ ଗୋଟିଏ ଦୁର୍ନୀତି ହୋଇଥିଲା ତାହା ଦର୍ଶାଯାଇଛି। ‘କଂଗ୍ରେସ ଅର୍ଥାତ କରପସନ’ ଶୀର୍ଷକ ଏହି ଭିଡିଓରେ ବିଜେପି ଅଭିଯୋଗ କରିଛି କଂଗ୍ରେସ ୭୦ ବର୍ଷର ଶାସନରେ ଜନତାଙ୍କ ୪୮, ୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟ କରିଛି। ଏହି ଅର୍ଥର ବ୍ୟବହାର ସରକାର ଜନତାଙ୍କ ଲାଗି ଉପଯୋଗୀ ବିକାଶ ଓ ସେମାନଙ୍କ ସୁରକ୍ଷା ଲାଗି କରାଯାଇ ପାରିଥାନ୍ତା।

ଭିଡିଓ ବାର୍ତ୍ତାରେ ବିଜେପି କହିଛି ଏହି ଅର୍ଥରେ ୨୪ଟି ଆଇଏନଏସ୍ ଭିକ୍ରାନ୍ତ, ୩୦୦ ରାଫେଲ ଜେଟ୍ ଓ ୧ ହଜାର ମଙ୍ଗଳ ମିସନ ହାତକୁ ନିଆଯାଇ ପାରିଥାନ୍ତା। କିନ୍ତୁ କଂଗ୍ରେସ ଦୁର୍ନୀତିର ମୂଲ୍ୟ ଦେଶକୁ ଦେବାକୁ ପଡିଥିବା ବେଳେ ଭାରତ ପ୍ରଗତି ଦୌଡରେ ପଛେଇ ଯାଇଥିବା ଅଭିଯୋଗ କରାଯାଇଛି। କେବେଳ ସେତିକି ନୁହେଁ ୨୦୦୪-୨୦୧୪ ମନମୋହନ ସିଂହ ସରକାରକୁ ‘ଲଷ୍ଟ ଡିକେଡ’ ବୋଲି କହିଛି। କଂଗ୍ରେସ ଶାସନ କାଳରେ ୧.୮୬ ଲକ୍ଷ କୋଟି ଟଙ୍କା କୋଇଲା, ୧.୭୬ ଲକ୍ଷ କୋଟିର ସ୍ପେକ୍ଟ୍ରମ, ୧୦ ଲକ୍ଷ କୋଟି ଟଙ୍କାର ମନରେଗା, ୭୦ ହଜାର କୋଟି ଟଙ୍କାର କମନୱେଲଥ୍ ଦୁର୍ନୀତି, ସହିତ ଇଟାଲୀ ହେଲିକପ୍ଟର କିଣାରେ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ରହିଛି।

ଭିଡିଓ ବାର୍ତ୍ତାର ଶେଷରେ କୁହାଯାଇଛି କଂଗ୍ରେସର ଦୁର୍ନୀତିର ଏହା କେବଳ ଟ୍ରେଲର, ଫିଲ୍ମ ଏବେ ବାକିଅଛି। ଏହା ପୂର୍ବରୁ କଂଗ୍ରେସ ଆଦାନୀ ପ୍ରସଙ୍ଗରେ ବିଜେପିକୁ ଘେରିଥିଲା। ଏଥିରେ ‘ହମ ଆଦାନୀ କେ ହୈ କୌନ’ ଅଭିଯାନରେ ଅନେକ ପ୍ରଶ୍ନ ଜାରି କରିଥିଲା।

Leave a Reply

Your email address will not be published. Required fields are marked *

Back to top button