ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି ସଂକଳ୍ପବଦ୍ଧ

ଭୁବନେଶ୍ୱର : ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି। ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏଥିସହ ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୯ବର୍ଷର ସଫଳତାକୁ ନେଇ ମଇ ୨୯ ରୁ ଜୁନ୍ ୩୦ପର୍ଯ୍ୟନ୍ତ ଗାଁ ଗାଁ ଘର ଘରକୁ ଯାଇ ପ୍ରଚାର କରିବେ। ୨୦୨୪ରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପାଇଁ ସମସ୍ତ କାର୍ଯ୍ୟ କରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ଶନିବାର ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ୪ ମାସର ରୋଡମ୍ୟାପର ବିସ୍ତୃତ ଆଲୋଚନା କରିଥିଲେ।

କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ପାଇଁ ପାର୍ଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେ କାଇଲେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ଦୀର୍ଘ ସମୟ ଧରି ବିଜୁଳି ଚାଲିଯିବା ଘଟଣା ରାଜ୍ୟ ସରକାରଙ୍କ ଦାୟୀତ୍ୱହୀନତା ଓ ହେୟଜ୍ଞାନ ମନୋଭାବକୁ ସ୍ପଷ୍ଟ କରିଛି। ସେହିପରି ମହିଳା ଅତ୍ୟାଚାରରେ ସମଗ୍ର ଦେଶରେ ୧ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ମହାନଦୀ ଜଳ ସମସ୍ୟା ସମାଧାନ ହୋଇପାରୁନାହିଁ। ସେଥିପାଇଁ ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ବିଜେପି ସଂକଳ୍ପବଦ୍ଧ। କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଘରକୁ ଘର ଯିବ ବୋଲି ଡ. ଲେଖାଶ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button