ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତ୍ୟେକ ପଞ୍ଚାୟତକୁ ମିଳିବ ୫୦ଲକ୍ଷ

ଭୁବନେଶ୍ଵର : ରାଜ୍ୟ ସରକାର ୨୦୨୩-୨୪ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁରେ ନୂଆ ଯୋଜନା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟବରାଦକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ। ଏଣିକି ପ୍ରତ୍ୟେକ ଗ୍ରାମପଞ୍ଚାୟତ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ।

ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୯ଟି ପ୍ରସ୍ତାବକୁ ମୋହର ମିଳିଛି ଅନୁମୋଦନ। ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଲେ ରାଜ୍ୟର ପ୍ରତ୍ୟେକ ପଂଚାୟତକୁ ଗ୍ରାମାଂଚଳ ଭିତ୍ତିଭୂମି ସୁଧାରିବାକୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ। ଏହି ଅର୍ଥରେ ଅଧିକ ସଂଖ୍ୟକ ତୀର୍ଥ ଯାତ୍ରୀଙ୍କ ସମାଗମ ହେଉଥିବା ଉପାସନାସ୍ଥଳୀ ବା ଧାର୍ମିକ ପୀଠରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରାଯାଇପାରିବ। ପଂଚାୟତୱାରି ପ୍ରକଳ୍ପ ତାଲିକାକୁ ବ୍ଲକସ୍ତରରେ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତରେ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ବିଭାଗକୁ ପଠାଯିବ। ଏହା ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ମୂଲ୍ୟ ୨.୫୦ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ରହିବ। ଆବଶ୍ୟକସ୍ଥଳେ ଏହି ପରିମାଣକୁ ପରିବର୍ତ୍ତନ କରାଯିବ। ପ୍ରକଳ୍ପଗୁଡ଼ିକ ଉପଯୁକ୍ତ ପ୍ରକ୍ରିୟା ଅନୁସାରେ ପଂଚାୟତସମିତି ଦ୍ୱାରା ବିଭାଗୀୟ ଭାବେ କାର୍ଯ୍ୟକାରୀ ହେବ। ପ୍ରକଳ୍ପର ସ୍ୱଚ୍ଛତା ରଖିବାକୁ ବିଭାଗ ପକ୍ଷରୁ ଏକ ୱେବଆଧାରିତ ଏମଆଇଏସ୍ ଓ ମୋବାଇଲ ଆପ୍ ବିକଶିତ ହେବ ତଥା ପ୍ରତ୍ୟେକ ପ୍ରକଳ୍ପର ଜିଆଇଏସ୍ ଟ୍ୟାଗିଂ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ବଲାଙ୍ଗିର ରାଜେନ୍ଦ୍ର କଲେଜକୁ ୮ ଏକର ୬୯୩ ଡ଼ିସିମିଲ ଜମି ମାଗଣାରେ ଯୋଗାଇ ଦିଆଯିବ। କୋରାପୁଟ ଜିଲ୍ଲାର ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ୫ ଏକର ଜମି ବିନା ପ୍ରିମିୟମରେ ଦିଆଯିବ। କେନ୍ଦ୍ରାପଡ଼ାର ଖରସ୍ରୋତାରେ ନୂଆବଜାର ଓ ବାଲିତରା ଘାଟ ମଧ୍ୟରେ ହେବାକୁ ଥିବା ପୋଲକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୯୭ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟବରାଦକୁ ଅନୁମୋଦନ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button