ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର : ୯ ଜିଲ୍ଲାରେ ଓଡ୍ରାଫ-ଏନଡିଆରଏଫ ଟିମ୍ ମୁତୟନ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ବିତ୍ପାତର ମୁକାବିଲା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରିଛନ୍ତି। ଏହାଛଡା ମୁତୟନ ହୋଇଛନ୍ତି ୧୩ଟି ଅଗ୍ନିଶମ ସେବା ଟିମ।

ଖବର ଅନୁଯାୟୀ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଅନ୍ୟ ସବୁ ନଦୀରେ ଜଳସ୍ତର ବଢୁଥିଲେ ହେଁ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଆଉ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ କେନ୍ଦୁଝର, ସମ୍ବଲପୁରର ରେଢାଖୋଲ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରେ ମୋଟ୍ ୮ଟି ଓଡ୍ରାଫ ଟିମକୁ ମୁତୟନ କରାଯାଇଛି। ଏନଡିଆରଏଫର ଗୋଟିଏ ଲେଖାଏଁ ଟିମକୁ ଭଦ୍ରକ ଓ ଯାଜପୁରରେ ମୁତୟନ ହୋଇଛନ୍ତି। ସେହିପରି ଭଦ୍ରକ ଓ ଯାଜପୁରରେ ୩ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ ସମେତ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ଅଛନ୍ତି। ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବର୍ଷା ବିତ୍ପାତରେ ବହୁ ଅଂଚଳ ଜଳମଗ୍ନ ହୋଇଥିବାବେଳେ ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର ହେଉଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହ ସ୍ୱଚ୍ଛ ପିଇବା ପାଣି ଦେବାକୁ ପରାମର୍ଶ ଦିଆଯାଇଛି। ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ୧୭ଟି ଜିଲ୍ଲାରେ ବର୍ଷା ବିତ୍ପାତ ସ୍ଥିତିର ସମୀକ୍ଷା କରିବା ସହ ନଦୀଗୁଡ଼ିକରେ ବନ୍ୟା ଆସିବାର ଆଶଙ୍କା ଥିବାରୁ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଓ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button