ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ବିବାଦ ମାମଲାରେ ସୁପ୍ରିମ୍‌ କୋର୍ଟ ଏହି ରାୟ ଦେଇଛନ୍ତି। ଫଳରେ କ୍ଷମତା ଯୁଦ୍ଧରେ ଦିଲ୍ଲୀ ସରକାରଙ୍କର ବିଜୟ ହୋଇଛି।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଗଣତାନ୍ତ୍ରିକ ସରକାରରେ ପ୍ରଶାସନର ପ୍ରକୃତ କ୍ଷମତା ସରକାରଙ୍କ ନିର୍ବାଚିତ ଶାଖା ଉପରେ ନ୍ୟସ୍ତ ରହିବା ଆବଶ୍ୟକ। ତେଣୁ ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ଅବଶ୍ୟ ରହିବ। ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ। କେନ୍ଦ୍ର କେବଳ ଜମି, ଆଇନ ଶୃଙ୍ଖଳା ଓ ପୋଲିସ୍‌ ଉପରେ ନିଜର ନିୟନ୍ତ୍ରଣ ରଖିପାରିବେ।

ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ ୫ ଜଣିଆ ଖଣ୍ଡପୀଠ ରାୟରେ କହିଛନ୍ତି ଦିଲ୍ଲୀ ବିଧାନସଭା ଓ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଚାଲିଥିବା ଶାସନ ଭଳି ଦିଲ୍ଲୀର ଶାସନ ଚାଲୁଥିବାରୁ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ। ଚଳିତ ବର୍ଷ ଜାନୁଆରି ମାସରେ ଏହି ମାମଲାର ୪ ଦିନ ଶୁଣାଣି କରିବା ପରେ ପ୍ରଧାନ ବିଚାରପତି ଡି. ୱଇ. ଚନ୍ଦ୍ରଚୂଡ଼, ବିଚାରପତି ଏମ୍‌. ଆର୍‌. ଶାହ, କୃଷ୍ଣ ମୁରାରୀ, ପି. ଏସ୍‌. ନରସିଂହ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

Leave a Reply

Your email address will not be published. Required fields are marked *

Back to top button