ବାବୁଙ୍କ ଆଚରଣକୁ ହଜମ କରିପାରୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ୱର : ରାଜଧାନୀରେ ବର୍ଷାଜଳରେ ଭାସି ଛାତ୍ରଙ୍କ ମୃତ୍ୟୁ ଘଟଣାରେ କିଛି ସରକାରୀ ବାବୁଙ୍କ ଆଚରଣ ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଘଟଣାଘଟିବା ପରେ ମନ୍ତ୍ରୀ, ବିଧାୟକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିଏମସି କମିଶନରଠାରୁ ଆରମ୍ଭ କରି କୌଣସି ତଳିଆ ଅଫିସର ଦେଖା ନଦେବାକୁ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି। ଏଥିଯୋଗୁଁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।

ରାଜଧାନୀର ସୌଭାଗ୍ୟନଗର ଅଞ୍ଚଳରେ ଦଶମଶ୍ରେଣୀର ଛାତ୍ରଟି ଭାସିଯିବା ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ସମେତ ବିଧାୟକ ଅନନ୍ତ ନାରାୟଣଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ପହଞ୍ଚିଥିଲେ। ଲୋକଙ୍କସହ ମିଶି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ତଲାସି ଅଭିଯାନରେ ସାମିଲ ହୋଇଥିଲେ। ପରଦିନ ଶବ ମିଳିବାପରେ ଆସିଥିଲେ। ହେଲେ ଏହି ସମୟରେ ବିଏମ୍‍ସି କମିଶନରଙ୍କର ଦେଖାମିଳିନଥିଲା। କମିଶନର ନଆସିବା ଦେଖି ତଳିଆ ବାବୁମାନେ ଏକ ପ୍ରକାର ଛପି ଯାଇଥିଲେ। କେତେକ ଆଦୌ ଫୋନ୍‍ ଧରିନଥିଲେ।

ଏବେ ଲୋକେ କହୁଛନ୍ତି ସରକାରୀ ବାବୁମାନଙ୍କର ହୃଦୟ ନାହିଁ। ତାଙ୍କର କେବଳ ପ୍ରଚାର ଓ ପୁରସ୍କାର ଦରକାର। ଯଦି ଏଠାରେ ନିର୍ମାଣକାର୍ଯ୍ୟ ଚାଲିଥାନ୍ତା ତେବେ ବାବୁମାନେ ଆସି ଫଟୋସେସେନ କରିଥାନ୍ତୋ। କିନ୍ତୁ ଜଣେ ପୁତ୍ରହରା ପିତାକୁ ଆଶ୍ୱାସନା ଟିକେ ଦେବାକୁ ଆସିପାରିଲେ ନାହିଁ। ଏହି ଘଟଣାରେ କାହାକୁ ଦାୟୀ କରାଯାଇନି କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନି। ଏପରି ମାନସିକତା ପାଇଁ ରାଜଧାନୀର ଡ୍ରେନରେ ୫/୬ଜଣଙ୍କ ଜୀବନ ଯିବାପରେ ମଧ୍ୟ ବିବିଏମ୍‍ସିର ଚେତା ପଶୁନାହିଁ। ଯାହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *

Back to top button