ବିଦ୍ୟୁତ କାଟ : ସରକାରୀ ଭାଷା କହୁଛନ୍ତି ମନ୍ତ୍ରୀ

ଭୁବନେଶ୍ଵର : ୧୯୮୫ ମସିହା ଭିତରେ ଗୋଟିଏ ଖବର କାଗଜର ସଂପାଦକୀୟରେ ଲେଖାଯାଇଥିଲା “ଘର ବୁଡି ପାଣି ଆଣ୍ଠୁଏ ହେଲାଣି ଅନ୍ଧ କହେ ମେଘ ଦୁଲୁକୁଚି”। ଏବେ ବିଦ୍ୟୁତ କାଟକୁ ଲକ୍ଷ୍ୟ କଲେ ପୂର୍ବର ସେ ଲେଖା ମନେପଡୁଛି। କାରଣ ରାଜ୍ୟରେ ଚାଲିଛି ଅଘୋଷିତ ବିଦ୍ୟୁତ କାଟ। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମାନ ଅବସ୍ଥା। ଦିନରାତି ୨୪ ଘଣ୍ଟା ମଧ୍ୟରେ କେତେ ସମୟ ବିଦ୍ୟୁତ ରହିବ ତାହା ଟାଟା ପାୱାର ଭଳି ବିଦ୍ୟୁତ ପରିବଣ୍ଟନ ଦାୟିତ୍ଵରେ ଥିବା କମ୍ପାନୀମାନଙ୍କ ଦୟା ଉପରେ ନିର୍ଭର କରେ। ମୋଟାମୋଟିଭାବେ ଓଡିଶାରେ ଏବେ ୨୦୦୦ ମସିହା ପୂର୍ବ ସ୍ଥିତି ଉପୁଜିଛି। ବିକାଶକୁ ନେଇ ପ୍ରଚାର ଜୋର କିନ୍ତୁ ସେବା ନିମ୍ନମାନର। ଶକ୍ତିମନ୍ତ୍ରୀ ପ୍ରତାପ ଦେବ ସ୍ଵୀକାର କରନ୍ତୁ ବା ନକରନ୍ତୁ ବାସ୍ତବତାକୁ ରାଜ୍ୟବାସୀ ଅନୁଭବ କଲେଣି। ତେଣୁ ମନ୍ତ୍ରୀ ମହୋଦୟ ସରକାରୀ ଭାଷା ନକହି ଲୋକଙ୍କ ସମସ୍ୟା ଚିନ୍ତାକଲେ ଦଳ ଓ ରାଜ୍ୟର ମଙ୍ଗଳ ହେବ ବୋଲି କୁହାଯାଉଛି।

ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହୁଛନ୍ତି ରାଜ୍ୟରେ କେଉଁଠାରେ ପାୱାରକଟ୍ ହେଉନି। ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ। ତେଣୁ ବାରମ୍ବାର ଗଣମାଧ୍ୟମକୁ କହିଛି ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ବାସ୍ତବିକ ମନ୍ତ୍ରୀଙ୍କ କଥା ସତ। ଓଡିଶା ବିଦ୍ୟୁତର ବଳକା ରାଜ୍ୟ ହୋଇଥିବାରୁ ପାୱାରକଟ୍ ଶବ୍ଦ ରାଜ୍ୟ ପାଇଁ ଶୋଭା ପାଉନି। ତେବେ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି କାହିଁକି ? ପୂର୍ବରୁ ଏପରି ହେଉନଥିଲା। ପୂର୍ବାପେକ୍ଷା କେତେ ଉପଭୋକ୍ତା ବଢିଛନ୍ତି ଯାହା ଫଳରେ ବିଦ୍ୟୁତ କଟୁଛି। ବର୍ଦ୍ଧିତ ଉପଭୋକ୍ତାଙ୍କ ହିସାବ ଦିଆଗଲେ ଲୋକେ ଜାଣିପାରନ୍ତେ ଟାଟା ପାୱାର ଭଳି କମ୍ପାନୀ ଦାୟିତ୍ଵ ନେବାପରଠାରୁ କେତେ ଅଧିକ ବିଦ୍ୟୁତ ବ୍ୟବହାର ହେଉଛି। ପୂର୍ବରୁ କେତେ ହେଉଥିଲା ?

ଶକ୍ତିମନ୍ତ୍ରୀ କହିଛନ୍ତି ଚାଇନାଠାରୁ ଅଧିକ ପାୱାର ମୋ ପାଖରେ ଅଛି। ସେହି ପାୱାରକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଭିତ୍ତିଭୂମି ଠିକ୍‌ ଥିବା ଦରକାର। ଭିତ୍ତିଭୂମି ଅଭାବରୁ ବିଦ୍ୟୁତ୍ ସମସ୍ୟା ଉପୁଜୁଛି। ସେ କହିଛନ୍ତି ପବନ ହେଲେ ବିଦ୍ୟୁତ କାଟ କରାଯାଉଛି। କାଳବୈଶାଖୀ ଯୋଗୁ ତାର ଛିଣ୍ଡି ଯିବା ସହ ଖୁଣ୍ଟ ଉପୁଡ଼ି ଯାଇଛି। ଖୁଣ୍ଟ ପୋତାଯାଇ ଠିକ୍‌ କରିବାକୁ ସମୟ ଲାଗିବ। ଆଖି ପିଛୁଳାକେ ଏହି କାମ ହୋଇଯିବ ନାହିଁ। ହେଲେ ମନ୍ତ୍ରୀ ମହୋଦୟ ବୋଧହୁଏ ଜାଣିନାହାନ୍ତି ବିନା କାଳବୈଶାଖୀରେ ମଧ୍ୟ ବିଦ୍ୟୁତ କାଟ ଜାରି ରହୁଛି। ଘଣ୍ଟେ କିମ୍ବା ୨ ଘଣ୍ଟା ନୁହେଁ, କେଉଁ ଦିନ କେତେ ସମୟ କଟିବ ତାହା କମ୍ପାନୀ ଦ୍ଵାରା ଧାର୍ଯ୍ୟ ହେଉଛି। ଏସବୁକୁ ଦେଖିଲେ ଯାହା ମନେ ହେଉଛି ମନ୍ତ୍ରୀଙ୍କ ପାଖରେ ସଠିକ ତଥ୍ୟ ନାହିଁ କିମ୍ବା ଦିଆଯାଉନି। ତେଣୁ ଇଚ୍ଛା ନଥିଲେ ମଧ୍ୟ ସେ ସରକାରୀ ଭାଷା କହିବାକୁ ବାଧ୍ୟ ହେଉଛନ୍ତି। ଏହାହିଁ ବାଧ୍ୟବଧକତା ବୋଲି ଲୋକେ ଆଲୋଚନା କରୁଛନ୍ତି।

ଅନ୍ୟପକ୍ଷରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆସନ୍ତା ସୋମବାର ଜରୁରୀ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକକୁ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button