ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ ଛୁଇଁଲା

ବାଲେଶ୍ୱର : ଗତ ରାତିରେ ବାହାନଗାର ପଣପଣାଠାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଛି। ୯ଶହରୁ ଅଧିକ ଗୁରୁତର ଯାତ୍ରୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ ସୂଚନା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସେ କହିଛନ୍ତି ଶୁକ୍ରବାର ରାତିରେ ଘଟିଥିବା ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୪ ଘଣ୍ଟା ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଏନଡିଆରଏଫ ତରଫରୁ ୬ଟି ଟିମ୍‌ ମୁତୟନ ହୋଇଥିବା ବେଳେ ଡଗ୍‌ ସ୍କ୍ୱାର୍ଡ ଓ ମେଡିକାଲ ଟିମ୍‌ ବି ଘଟଣାସ୍ଥଳରେ ମୁତୟନ ହୋଇଥିବା ଜଣେ ସିନିୟର କମାଣ୍ଡର ପ୍ରକାଶ କରିଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବଗି ତଳୁ ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲୁ ରହିଛି।
ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ମାତ୍ର ବହୁ ମୃତଦେହ ଚିହ୍ନଟ ହୋଇ ପାରୁ ନଥିବାରୁ ସେଗୁଡ଼ିକୁ କାହାକୁ ହସ୍ତାନ୍ତର କରାଯାଇ ପାରୁନି। ଦୁର୍ଘଟଣାସ୍ଥଳରେ ଖୁବ୍‌ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି। କାହାର ହାତ ଓ ଆଉ କାହାର ଗୋଡ଼ ଟ୍ରାକ୍‌ ଉପରେ ପଡ଼ି ରହିଛି।

ପୋଲିସ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଏହା ଏକ ଭୟଙ୍କର ଦୁର୍ଘଟଣା। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ୫ଟି ଓଡ୍ରାଫ ଟିମ୍‌ , ଓଡ଼ିଶା ଅଗ୍ନିଶମ ବିଭାଗର ବହୁ ଟିମ୍‌ ସମେତ ସେନା ମୁତୟନ ହୋଇଛନ୍ତି। ମୃତକମାନେ ବିଭିନ୍ନ ରାଜ୍ୟର ହୋଇଥିବାରୁ ତୁରନ୍ତ ସେମାନଙ୍କ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ଏହାଛଡା ବହୁ ସଂଖ୍ୟାରେ ଟ୍ରେନ୍‌ ବଗି ଓଲଟି ପଡ଼ିଥିବାରୁ ଏହାକୁ ଟ୍ରାକ୍‌ରୁ ବାହାର କରିବାକୁ ଭାରୀ ଯନ୍ତ୍ରାଶଂ ଦରକାର। କୋଲକତାରୁ ଉକ୍ତ ଯନ୍ତ୍ରାଶଂ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇ ପାରିବ। ଏଥିନିମନ୍ତେ କିଛି ସମୟ ଦରକାର ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button