ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ଘଟଣାରେ ୬ ପୋଲିସ ନିଲମ୍ବିତ

କେନ୍ଦ୍ରାପଡା : ହେଲମେଟ୍ ଯାଞ୍ଚବେଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡମାରିବା ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ। କେନ୍ଦ୍ରାପଡା ଏସ୍ପି ଏମ୍ ସମ୍ବିତ ସମ୍ପଦ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏ ମଧ୍ୟରେ ରହିଛନ୍ତି ଜଣେ ହାବିଲଦାର ଓ ଦୁଇ ମହିଳା କନଷ୍ଟେବଲ।
ସୂଚନାଯୋଗ୍ୟ ଗତ ସନ୍ଧ୍ୟାରେ ତିନିମୁହାଣୀ ଛକ ସେଲ୍ଫି ପଏଣ୍ଟ ନିକଟରେ ଟାଉନ୍ ଥାନା ପୋଲିସ ପକ୍ଷରୁ ହେଲମେଟ୍ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ ବାଇକ ଚାଳକ ନିଜ ସାଙ୍ଗରେ ଜଣେ ମହିଳାଙ୍କୁ ନେଇ ଆସୁଥିଲେ। ସେ ହେଲମେଟ ପିନ୍ଧି ନଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉଭୟଙ୍କ ମଧ୍ୟରେ ବଚସା ବେଳେ ପୋଲିସକୁ ବାଇକ ଚାଳକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଭାଇରାଲ ଭିଡିଓରେ ୪/୫ ଜଣ ପୋଲିସ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଥିଲା। ଘଟଣା ଘଟିବା ପରେ ତିନିମୁହାଣୀ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାରୁ ବାଇକ ଆରୋହୀଙ୍କୁ ଅଟକ ରଖି ପୋଲିସ ଗିରଫ କରିଥିଲା।