ବିଜେପି ଛାଡ଼ିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତୀ ଚନ୍ଦ୍ର କୁମାର ବୋଷଙ୍କ ବିଜେପିରୁ ଇସ୍ତଫା। ସୁଭାଷଙ୍କ ଆଦର୍ଶର ପ୍ରଚାର ପ୍ରସାର ପାଇଁ ବିଜେପିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କ ଠାରୁ ସମର୍ଥନ ନ ମିଳିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଖବର ଅନୁଯାୟୀ ଚନ୍ଦ୍ର କୁମାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ବିଜେପିରେ ଯୋଗଦେବା ବେଳେ ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା ସୁଭାଷ ଚନ୍ଦ୍ର ବୋଷ ଓ ଶରତ ଚନ୍ଦ୍ର ବୋଷଙ୍କର ସମାବେଶୀ ବିଚାରଧାରା ପ୍ରଚାର କରିବାକୁ ଅନୁମତି ଦିଆଯିବ। ହେଲେ ସେମେତି କିଛି ହେଲା ନାହିଁ।

ଏହାଛଡା ସେହି ସମୟରେ ବୋଷ ଭ୍ରାତା ଦ୍ୱୟଙ୍କ ବିଚାରାଧାରାକୁ ନେଇ ବିଜେପି ସହିତ ମୋର ଆଲୋଚନା ହୋଇଥିଲା। ପରେ ଭାବିଲି ବିଜେପି ଜରିଆରେ ପୂରା ଦେଶରେ ଏହି ଆଦର୍ଶର ପ୍ରଚାର କରିବି। ଆହୁରି ଲକ୍ଷ୍ୟ ଥିଲା ବିଜେପିର ଢାଞ୍ଚା ଭିତରେ ରହି ଆଜାଦ ହିନ୍ଦ୍ ମୋର୍ଚ୍ଚା ଗଠନ କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ବୋଲି ସୁଭାଷଙ୍କ ଆଦର୍ଶର ପ୍ରଚାର କରିବି। ଦେଶକୁ ଏକାଠୀ କରିବାର ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଲେଖିଛନ୍ତି ମୋର ଏହି ଉତ୍ସାହ ମୁଳକ ପଦକ୍ଷେପକୁ ନା କେନ୍ଦ୍ର ନେତୃତ୍ୱ ନା ପଶ୍ଚିମବଙ୍ଗ ବିଜେପି ନେତୃତ୍ୱ କାହା ପାଖରୁ ସମର୍ଥନ ମିଳିଲାନି। ଏନେଇ ଏକ ପ୍ରସ୍ତାବ ଦେଇଥିଲି ତାହାକୁ ଅଣଦେଖା କରାଗଲା ବୋଲି ଶ୍ରୀ ବୋଷ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ୨୦୨୬ରେ ଚନ୍ଦ୍ର କୁମାର ବୋଷଙ୍କୁ ରାଜ୍ୟ ବିଜେପି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୨୦ରେ ଦଳୀୟ ନେତୃତ୍ୱ ପରିବର୍ତ୍ତନରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button