ଦିବ୍ୟଶଙ୍କରଙ୍କ ବିରୋଧରେ ଲାଗୁହେଉ ହତ୍ୟା ଷଡ଼ଯନ୍ତ୍ର ଦଫା

ବଲାଙ୍ଗିର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ନିର୍ଭୟା କାଣ୍ଡ ଠାରୁ କୌଣସି ମାତ୍ରାରେ କମ୍ ନୁହେଁ। ଏହି ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆଇପିସିର ହତ୍ୟା ଷଡ଼ଯନ୍ତ୍ର ଦଫାରେ ମାମଲା ରୁଜୁ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା।

ଗୁରୁବାର ମମିତାଙ୍କ ପରିବାରକୁ ଭେଟିବା ପରେ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଅଭିଯୁକ୍ତଙ୍କ ସହିତ ଷଡ଼ଯନ୍ତ୍ର କରିଥିବା ବେଳେ ଦୋଷୀଙ୍କୁ ସୁରକ୍ଷା ଦେଉଥିଲେ। ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ। ଯଦି ସେ ଗାଦିରେ ରହି ପୋଲିସର କାର୍ଯ୍ୟକୁ ସୁପରଭାଇଜ କରିବେ ତା’ହେଲେ ଦୋଷୀକୁ ଦଣ୍ଡ କିଏ ଦେବ ? ଆଇନକୁ ରକ୍ଷା କରିବା ପରିବର୍ତ୍ତେ ସେ ଆଇନକୁ ଭାଙ୍ଗୁଛନ୍ତି ବୋଲି ସୂର୍ଯ୍ୟେୱାଲା ଅଭିଯୋଗ କରିଛନ୍ତି।

କଂଗ୍ରେସରରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି ଆଜି ଆମେ ମମିତାଙ୍କ ପରିବାରରେ ସୃଷ୍ଟି ହୋଇଥିବା ଘା’ ଉପରେ ମଲମ ଲଗାଇବାକୁ ଆସିଛୁ। ଏହି ଘା’ କେବଳ ମମିତା ପରିବାରରେ ନୁହେଁ ଏହା ଓଡ଼ିଶା ଓ ଭାରତର ଆତ୍ମା ଉପରେ ସୃଷ୍ଟି ହୋଇଛି। ମମିତାଙ୍କ ବେମାର ମା’-ବାପା ନ୍ୟାୟ ପାଇଁ ଦୌଡୁ ଥିବା ବେଳେ ହତ୍ୟାକାରୀ ଓ ଗୁଣ୍ଡାମାନେ ସିଂହାସନ ଉପରେ ବସିଛନ୍ତି। ଦୁର୍ଭାଗ୍ୟର କଥା ଜଗନ୍ନାଥଙ୍କର ପବିତ୍ର ଭୂମି ଓଡ଼ିଶାକୁ ବିଜୁ ଜନତା ଦଳ ଅପରାଧ ପ୍ରଦେଶରେ ପରିଣତ କରି ଦେଇଛି। ଏହି ହତ୍ୟାକାଣ୍ଡ ପରେ ଓଡ଼ିଶାର ଝିଅମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପରିବାରସହ କାନ୍ଧ ମିଳାଇ ଲଢ଼େଇ କରିବୁ। ଏହାଛଡା ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରାଯାଇ ମାମଲାର ବିଚାର ୯୦ ଦିନ ଭିତରେ କରାଯାଇ ଦୋଷୀକୁ ଫାଶୀ ଦିଆଯାଉ। ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ତାଙ୍କ ଭାଇକୁ ଚାକିରି ମିଳୁ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଶ୍ରୀ ସୂର୍ଯ୍ୟେୱାଲାଙ୍କ ସହିତ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରମୁଖ କଣ୍ଟାବାଞ୍ଜିର ଝରଣୀ ଗାଁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *

Back to top button