୨୨୭ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ‘ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ’ କେବଳ ପ୍ରଚାର। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ଦେଶରେ ଆଗରେ ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଖବର ଅନୁଯାୟୀ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଜ୍ୟରେ ଭିଜିଲାନ୍ସ ପ୍ରାୟତଃ ପ୍ରତିଦିନ ବିଭିନ୍ନ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ମୁକୟାମନ୍ତ୍ରୀ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ। ସେଥିପାଇଁ ଭିଜିଲାନ୍ସ ନିୟମିତ ଚଢ଼ଉ କରୁଛି ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରାଯାଉଛି। କିନ୍ତୁ ବାସ୍ତବ କଥା ହେଲା ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ ଫାଇଲ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଲୋଡ଼ିଲେ ଅସଲ ରୂପ ପଦାକୁ ଆସୁଛି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଅନୁମତି ସତ୍ୱେ ବର୍ଷ ବର୍ଷ ଧରି ଫାଇଲ ପଡ଼ିରହୁଛି। ଫଳରେ ଦୁର୍ନୀତିଗ୍ରସ୍ତ ବାବୁମାନେ ଆରାମରେ ବୁଲୁଛନ୍ତି।

ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିକଟରେ ଏକ ଐତିହାସିକ ରାୟ ଦେଇଛନ୍ତିି। ତେଣୁ କୋର୍ଟଙ୍କ ଆଦେଶ ଅନୁଯାୟୀ ୨୦୦୩ ମସିହାରୁ ଅଦ୍ୟାବଧି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସରକାରୀ ବିଭାଗ ବା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଆବଶ୍ୟକତା ନାହିଁ। ତେଣୁ ଓଡ଼ିଶାର ଯେଉଁ ଦୁର୍ନୀତିଗ୍ରସ୍ତ ୨୨ଜଣ ଆଇଏଏସ୍‌ଙ୍କ ସମେତ ମୋଟ ୨୨୭ ଅଫିସର (ଓଏଏସ)ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା କରାଯାଇଥିଲା ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭିଜିଲାନ୍ସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button