ବିଜେପିର ପ୍ରଶ୍ନ : ଗରିବ କୃଷି ଋଣ ସୁଝି ପାରୁନି, ଘର ଋଣ କେମିତି ସୁଝିବ

ଭୁବନେଶ୍ଵର : ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ମାତ୍ର ୪୮୦ ବିଜୁ ପକ୍କା ଘର ଦେଇଥିବା ବେଳେ ମୋ ଘର ନାଁରେ ନୂଆ ଯୋଜନା କେବଳ ନୂଆ ବୋତଲରେ ପୁରୁଣା ମଦ। ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ଓ ପ୍ରତାରିତ କରିବା ପାଇଁ ଏହି ଯୋଜନା କରାଯାଇଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ରାଜ୍ୟ ସରକାରଙ୍କ ମୋ ଘର ଯୋଜନାକୁ ଟାର୍ଗେଟ କରି ଶ୍ରୀ ହରିଚନ୍ଦନ କହିଛନ୍ତି କେନ୍ଦ୍ର ଘର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି। ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ପୋତିଛନ୍ତି। ଏହି ଯୋଜନାରେ ଋଣ ରାଜ୍ୟ ସରକାର ଦେବେନି ରାଷ୍ଟ୍ରାୟତ ବ୍ୟାଙ୍କ ଦିଏ ନ ହେଲେ ଘରୋଇ ବ୍ୟାଙ୍କ। କିନ୍ତୁ ସରକାର ସବସିଡି ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୨୫ ହଜାର ଯିଏ ମାସିକ ଆୟ କରୁଥିବ ତାହାର ବାର୍ଷିକ ଆୟ ହେଉଛି ୩ ଲକ୍ଷ ଟଙ୍କା। ନିୟମ ଅନୁଯାୟୀ ସେ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ ପାଇ ପାରିବ। ସେ ତୁମ ଟଙ୍କା କାହିଁକି ନେବ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗରିବ ଲୋକ କୃଷି ଋଣ ସୁଝି ପାରୁନି, ଘର ଋଣ ସୁଝିବ କେମିତି। ଯଦି ସେ ସୁଝି ନ ପାରିବ ତାର ବାପା ଅଜା ଅମଳର ଜାଗା ଖଣ୍ଡକ ବି ଚାଲିଯିବ।
ପୃଥ୍ୱୀରାଜ କହିଛନ୍ତି ରାଜ୍ୟର ପଂଚୟତିରାଜ ମନ୍ତ୍ରୀ କହୁଛନ୍ତି କେନ୍ଦ୍ର ସରକାର କମ ଘର ଦେଇଥିବାରୁ ସେଥିପାଇଁ ଆମେ ମୋ ଘର ଯୋଜନା ଆରମ୍ଭ କରିଛୁ। ବାସ୍ତବତା କିଛି ଭିନ୍ନ। କେନ୍ଦ୍ର ସରକାର ୨୬ ଲକ୍ଷ ୯୫ ହଜାର ଘର ଦେଇଛନ୍ତି। ଏ ମଧ୍ୟରୁ କିଛି ନିର୍ମାଣ ସରିଛି ଆଉ କିଛି ଚାଲିଛି। ସେହିପରି ୯ ଲକ୍ଷ ୫୦ ହଜାର ଆସିଥିଲେ ମଧ୍ୟ ତାକୁ ରାଜ୍ୟ ସରକାର ବାଣ୍ଟୁ ନାହାନ୍ତି। କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ଦେଇ ସାରିଛନ୍ତି। ରାଜ୍ୟ ସରକାର ଯେତିକି ଘର ମାଗିଥିଲେ ସେତିକି ଘର ଦିଆ ସରିଛି। ରାଜ୍ୟ ସରକାରଙ୍କ ଆଯୋଗ୍ୟତା କାରଣରୁ ଗରିବ ଲୋକ ଝୁମ୍ପୁଡି ଘରେ ପଡିଛି। ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତ୍ତିରେ ଘର ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।