ବଡ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ : ସେପ୍ଟେମ୍ବରରେ ଦଳରେ ମିଶିବେ ନେତା ଓ ଅବସରପ୍ରାପ୍ତ ବାବୁ

ଭୁବନେଶ୍ଵର : ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ନିଜର ସ୍ଥିତି ମଜବୁତ କରିବା ପ୍ରଚେଷ୍ଟାରେ ରହିଛି। ଏହାକୁ ଦୃଷ୍ଟିରେ ରାଖୀ ହେବାକୁ ଯାଉଛି ବଡଧରଣର ମିଶ୍ରଣ ପର୍ବ। ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କୀଙ୍କ ସହ ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସ ଶିବିରରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଆଉ ଦଳୀୟ ମହଲରେ ଆଲୋଚନା ହେଉଛି ମହମ୍ମଦ ମୋକିମ ଓ ଚିରଂଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯିବ।

ଖବର ଅନୁଯାୟୀ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସର ବଡ ଧରଣର ମିଶ୍ରଣ ପର୍ବ ହେବ। ସାଂଗଠନିକ ସ୍ତରରେ ଦଳକୁ ସୁଦୃଢ କରିବା ଲାଗି ଦଳକୁ ଫେରିବେ ପୁରୁଣା ନେତା। ସେପ୍ଟେମ୍ବର ୫ ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ହେମା ଗମାଙ୍ଗ, ପୂର୍ବତନ ବିଧାୟକ ଜୟରାମ ପାଙ୍ଗୀ, କୃଷ୍ଣଚନ୍ଦ୍ର ସଗରିଆ ଓ ତାଙ୍କର ଅନେକ ସମର୍ଥକ ସାମିଲ ହେବେ। ସେହିପରି କ୍ରୀଡାବିତ୍ ପ୍ରବୋଧ ତିର୍କୀ ଓ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଯୋଗଦେବାର ସୂଚନା ମିଳିଛି। ଏହି ମିଶ୍ରଣ ପର୍ବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାମିଲ ହେବେ ବୋଲି କୁହାଯାଉଛି।

କଂଗ୍ରେସର ପ୍ରଥମ ଟାର୍ଗେଟରେ ରହିଛି ଦକ୍ଷିଣ ଓଡିଶା। ଦକ୍ଷିଣ ଓଡିଶାର ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣି ବଡ ଲଢେଇ ଲଢିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି। କ୍ରୀଡାବିତ ଓ ଆଦିବାସୀ ଚେହେରା ଭାବେ ପ୍ରବୋଧ ତିର୍କୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ଦଳକୁ ଆଣି ନୂଆ ସମୀକରଣ ସହ କଂଗ୍ରେସ ନିର୍ବାଚନକୁ ଓହ୍ଲାଇବ। ଏହି ଯୋଜନା ବ୍ୟତୀତ ବଡ ମିଶ୍ରଣ ପର୍ବ ମାଧ୍ୟମରେ କଂଗ୍ରେସ ବାର୍ତା ଦେବାକୁ ଚାହୁଁଛି ଏହି ଦଳ ଠାରୁ ଲୋକେ ଦୂରେଇ ନାହାନ୍ତି। ନେତା, କ୍ରୀଡାବିତ, ପୂର୍ବତନ ପ୍ରଶାସନିକ ଅଧିକାରୀ ଏବେ ଓଡିଶା କଂଗ୍ରେସକୁ ବିକଳ୍ପ ଭାବେ ବାଛୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button