ଓକିଲଙ୍କ କୋଭିଡ୍ ମୃତ୍ୟୁ କ୍ଷତିପୂରଣ ଦାବି ପିଟିସନ୍ ଖାରଜ

ନୂଆଦିଲ୍ଲୀ : କୋଭିଡ୍-୧୯ କାରଣରୁ ମୃତ ଓକିଲମାନଙ୍କ ପାଇଁ କ୍ଷତିପୂରଣ ଦାବି ପିଟିସନ୍କୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି କଳା କୋଟ୍ ପିନ୍ଧିବା ଅର୍ଥ ନୁହେଁ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ମୂଲ୍ୟବାନ୍।
ଖବର ଅନୁଯାୟୀ ଆଡ୍ଭୋକେଟ୍ ପ୍ରଦୀପ କୁମାର ଯାଦବ ଦାଏର କରିଥିବା ଏକ ଜନସ୍ୱାର୍ଥ ମାମଲାରେ ଦାବି ହୋଇଥିଲା କୋଭିଡ୍-୧୯ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁବରଣ କରିଥିବା ୬୦ ବର୍ଷରୁ କମ୍ ବୟସ୍କ ଓକିଲମାନଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ମିଳୁ। କିନ୍ତୁ ଏହି ପିଟିସନ୍କୁ ଚଞ୍ଚକତା ଓ ମାମଲାକୁ ପ୍ରଚାରସର୍ବସ୍ଵ କହି ସୁପ୍ରିମ୍ କୋର୍ଟ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଓକିଲଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।
ଓକିଲମାନଙ୍କ ପ୍ରତି ବ୍ୟତିକ୍ରମ ନ କରିବାକୁ ଇଚ୍ଛା କରି ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଏବଂ ବିଭି ନଗରନାଥନଙ୍କ ଖଣ୍ଡପୀଠ କହିଛନ୍ତି କେବଳ କଳା କୋଟ୍ ପିନ୍ଧିବା ଅର୍ଥ ନୁହେଁ ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନ ଠାରୁ ମୂଲ୍ୟବାନ୍। କୋଭିଡ୍-୧୯ ଯୋଗୁଁ ଗୁଡ଼ାଏ ଲୋକ ପ୍ରାଣ ହରାଇଥିବା ବେଳେ ଆପଣ ସେଥିରୁ ବ୍ୟତିକ୍ରମ ହୋଇପାରିବେ ନାହିଁ।
ଖଣ୍ଡପୀଠ କହିଛନ୍ତି ବାର୍ ସଦସ୍ୟଙ୍କ କୋଭିଡ୍ଜନିତ ମୃତ୍ୟୁ ପାଇଁ କୌଣସି ବ୍ୟତିକ୍ରମ କରିବାର କାରଣ ଥିବା କଥା ଆମର ମନେହୁଏ ନାହିଁ। ଓକିଲଜଣକ ‘କପି ଆଣ୍ଡ୍ ପେଷ୍ଟ୍’ (ନକଲ) କରିଛନ୍ତି। କାରଣ ପିଟିସନ୍ରେ ଉତ୍ଥାପନ କରାଯାଇଥିବା ସମସ୍ୟା ସହ ଦର୍ଶାଯାଇଥିବା କୌଣସି କାରଣ ପ୍ରାସଙ୍ଗିକ ନୁହେଁ। ଅଗତ୍ୟା ଆମ୍ଭେ ୧୦ ହଜାର ଟଙ୍କା ଜରିମାନା ପକାଇ ଏହି ପିଟିସନ୍କୁ ଖାରଜ କଲୁ। ଏହାଛଡା ଆଜିକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ଜରିମାନା ଅର୍ଥରାଶି ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଉଛି।