ଶାଳୀର ପ୍ରେମିକକୁ ବେକକାଟି ହତ୍ୟାକଲା ଭିଣୋଇ

ପାରାଦୀପ : ପ୍ରେମ ପାଇଁ ହତ୍ୟାକାଣ୍ଡ। ଶାଳୀର ପ୍ରେମିକକୁ ଭିଣୋଇ ତା’ର ବେକକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପାରାଦୀପ ଆଦର୍ଶ ଥାନା ପୋଲିସ ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ପାରାଦୀପ ବଡ଼ପଡ଼ିଆରେ ଏକ ହୋଟେଲ୍‌ରେ କାମ କରୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଲୋକନାଥପୁର ଗାଁ’ର ରମେଶ ଜେନା। ସେହି ଗାଁ’ର ଟୁବୁଲି ଜେନା ମଧ୍ୟ ସେଠାରେ କାମ କରୁଥିଲେ। ରମେଶର ଶାଳୀଙ୍କୁ ଟୁବୁଲି ଭଲ ପାଉଥିବା ଜାଣିବା ପରେ ଟୁବୁଲିକୁ ପ୍ରେମ ବ୍ୟାପାରରୁ ଦୂରେଇ ରହିବାକୁ କହିଥିଲେ ରମେଶ। କିନ୍ତୁ ଟୁବୁଲି ଗୁରୁତ୍ଵ ଦେଇନଥିଲେ। ପରବର୍ତ୍ତୀ ସମୟରେ ରମେଶ ଶାଳୀକୁ ଟୁବୁଲି ବିଷୟରେ କହିବାରୁ ଟୁବୁଲି ଓ ରମେଶ ଶାଳୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଦ ହୋଇଯାଇଥିଲା କଥାବାର୍ତ୍ତା। ଏହାକୁ ନେଇ ଟୁବୁଲି ଓ ରମେଶ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହି ଘଟଣା ପରେ ଟୁବୁଲି ପରିବାର ଲୋକଙ୍କୁ ଫୋନ୍‌ କରି ସମସ୍ତ କଥା ଜଣାଇବା ସହିତ ଏ ମାସର ଦରମା ମିଳିଲେ ହୋଟେଲ୍‌ ଛାଡ଼ି ରାଜ୍ୟ ବାହାରକୁ ପଳାଇଯିବେ ବୋଲି କହିଥିଲେ।

ଗୁରୁବାର ରାତିରେ ସବୁଦିନ ପରି ହୋଟେଲ୍‌ କର୍ମଚାରୀ ପଛପାଖ ମଣ୍ଡପରେ ଶୋଇଥିଲେ। ବିଳମ୍ୱିତ ରାତିରେ ଅନ୍ୟ କର୍ମଚାରୀମାନେ ଉଠି ପଳାଇ ଯାଇଥିଲେ। ହେଲେ ଶୋଇଥିଲେ ଟୁବୁଲି। ଏହାର ସୁଯୋଗ ନେଇ ରମେଶ ଏକ କୋଦାଳରେ ଟୁବୁଲିର ମୁହଁକୁ ହାଣି ଦେଇଥିଲା। ପରେ ବେକକୁ ଛୁରୀରେ ବେକ କାଟି କୋଦାଳ ଓ ଛୁରୀକୁ ହୋଟେଲ୍‌ ପାର୍ଶ୍ୱରେ ଲୁଚାଇ ଦେଇଥିଲା। ଆଜି ସକାଳେ ମଣ୍ଡପ ଉପରେ ମୃତଦେହ ପଡ଼ିଥିବା ଦେଖି ହୋଟେଲ୍‌ କର୍ମଚାରୀମାନେ ପାରାଦୀପ ଆଦର୍ଶ ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ମୃତଦେହ ଜବତ କରି ହୋଟେଲ୍‌ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ରମେଶକୁ ଥାନାକୁ ନେଇ ଜେରା କରିବା ସତ କଥା ଜଣାପଡିଛି। ପୋଲିସ ରମେଶ ହତ୍ୟାରେ ବ୍ୟବହାର କରିଥିବା କୋଦାଳ ଓ ଛୁରୀକୁ ଜବତ କରିଛି।

Leave a Reply

Your email address will not be published. Required fields are marked *

Back to top button