ପିତୃ ପକ୍ଷ : ଋଣ ପରିଶୋଧର ଅବସର

।। ଗୋପାଳ ମହାପାତ୍ର ।। ଭାଦ୍ରବ ମାସ ଶୁକ୍ଳପକ୍ଷର ପୂର୍ଣ୍ଣମୀ ତିଥିଠାରୁ ପତୃପକ୍ଷ ମହାଳୟା ଶ୍ରାଦ୍ଧର ପକ୍ଷ ଆରମ୍ଭ ହୋଇଥାଏ । ଅର୍ଥାତ୍ ସେପ୍ଟେମ୍ବର ମାସ ୨୦ ତାରିଖ ଠାରୁ ଆଶ୍ୱୀନ ମାସ ଅମାବାସ୍ୟା ଅକ୍ଟେବର ୬ ତାରିଖ ପର୍ଯ୍ୟନ୍ତ ରହିଥାଏ ଏହି ପିତୃପକ୍ଷ। ବାସ୍ତବରେ ଶ୍ରାଦ୍ଧ ଶବ୍ଦ ଶ୍ରଦ୍ଧାରୁ ହିଁ ସୃଷ୍ଟି ଯାହାର ଅର୍ଥ ହେଉଛି ପିତୃ ପିତାମହମାନଙ୍କ ପ୍ରତି ଶ୍ରଦ୍ଧା ଭାବ ରଖିବା । ଜୀବନର ଅନ୍ତିମ ସଂସ୍କାର ହେଉଛି ଅନ୍ତ୍ୟେଷ୍ଟିକ୍ରିୟା । ଏହି କ୍ରିୟାସହ ଜୀବନର ସମାପନ ହୋଇଯାଇଥାଏ । ତାପରେ ମଧ୍ୟ ବଂଶର ସଦସ୍ୟମାନଙ୍କ ସ୍ମୃତି ଏବଂ ପୂର୍ବଜନ୍ମର ସନାତନ ଧର୍ମ ସହ ଜଡ଼ିତ ମାନ୍ୟତା ଅନୁସାରେ ମୃତ୍ୟୁ ପରେ ମଧ୍ୟ ପରମ୍ପରାର ନିର୍ବାହନର ନିରନ୍ତରତା ରହିଆସିଛି । ଏଥି ମଧ୍ୟରେ ରିହିଛି ପିତୃପୁରୁଷଙ୍କ ପାଇଁ ପ୍ରତିବର୍ଷ ଦିଆଯାଉଥିବା ଶ୍ରାଦ୍ଧ । ଏହି କ୍ରିୟା ଅନୁସାରେ ଆମେ ଆମର ଦିବଂଗତମାନଙ୍କ ପ୍ରତି ଆଦର ଭାବ ପ୍ରକଟ କରିବାର ମାଧ୍ୟମ ହେଉଛି ଶ୍ରାଦ୍ଧ । ମୃତ୍ୟୁ ଠାରୁ ଶ୍ରାଦ୍ଧ କର୍ମ ପର୍ଯ୍ୟନ୍ତ ଯେଉଁସବୁ କ୍ରିୟା ରହିଛି ସେ ସବୁର ପଛରେ ଶରୀର ଏବଂ ପ୍ରାକୃତିର ବିଜ୍ଞାନ ଜଡ଼ିତ ଯାହାକୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ ।

ଶ୍ରାଦ୍ଧର ମାନ୍ୟତା ଆତ୍ମାର ଗମନ ସହ ଜଡ଼ିତ । ଚୁଡ଼ାମଣି ଉପନିଷଦରେ କୁହାଯାଇଛି ବ୍ରହ୍ମ ଅର୍ଥାତ୍ ବ୍ରହ୍ମାଣ୍ଡର ଅଂଶରୁ ହିଁ ପ୍ରକାଶମୟୀ ଆତ୍ମାର ଉତ୍ପତି ହୋଇଥାଏ । ଏହି ଆତ୍ମାରୁ ଆକାଶ, ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ, ଜଳରୁ ପୃଥିବୀର ଉତ୍ପତି ହୋଇଛି । ଏହି ପାଞ୍ଚ ତତ୍ୱର ସମନ୍ୱିତ ଋପରେ ମନୁଷ୍ୟ ଓ ପ୍ରାଣୀ ଜଗତ ଏବଂ ବ୍ରହ୍ମାଣ୍ଡ ର ସୃଷ୍ଟି । ଏହି କାରଣରୁ ଅନ୍ତ୍ୟେଷ୍ଟି କ୍ରିୟା ବା ସଂସ୍କାରରେ ମୃତ ଶରୀରକୁ ଅଗ୍ନିରେ ସମର୍ପିତ କରି ପଞ୍ଚ ତତ୍ୱରେ ବିଲିନ କରିବାର ପରମ୍ପରା ରହିଛି । ଆତ୍ମା ବା ଶରୀରର ଅଂଶ ର ଏହି ବିଲୟକୁ ପ୍ରେତି କୁହାଯାଏ । ଅପଭ୍ରଂଶ ଭାବେ ଏହାକୁ ପ୍ରେତ ବୋଲି କୁହାଯାଉଛି । ଆତ୍ମାର ଅଜର ଅମର ରହିବା କଥା ବା ଅସ୍ତିତ୍ୱକୁ ଏବେ ବିଜ୍ଞାନ ମଧ୍ୟ ସ୍ୱୀକୃତି ଦେଉଛି । ଶରୀର ରେ ଆତ୍ମା ସହ ମନ ଏବଂ ପ୍ରାଣ ମଧ୍ୟ ରହିଥାଏ । ମନ ଏବଂ ପ୍ରାଣ ଶରୀରଠାରୁ ମୁକ୍ତ ହେବାପରେ ମଧ୍ୟ ଶରୀରରେ ଏହାର ପ୍ରଭାବ ରହିଥାଏ । ମନକୁ ଚନ୍ଦ୍ରଙ୍କର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ । ଭାରତୀୟ ଦର୍ଶନ ରେ ଏଇଥି ପାଇଁ ସ୍ଥୁଳ ଓ ସୂକ୍ଷ୍ମ ଶରୀରର କଳ୍ପନା କରାଯାଇଥାଏ । ପିତୃପକ୍ଷର ଅବଧିରେ ଏଭଳି ଧାରଣା ରହିଛି ଯେ ଶ୍ରାଦ୍ଧ ସମୟରେ ପରିଜନମାନଙ୍କ ଚତୁଃପାଶ୍ୱର୍ରେ ମୃତକଙ୍କ ସୂକ୍ଷ୍ମ ଅଂଶ ଘୂରି ବୁଲୁଥାଏ ଏବଂ ଶ୍ରାଦ୍ଧ ପରେ ସନ୍ତୁଷ୍ଟ ହୋଇ ଫେରିଯାଇଥାଏ ।

ସଂପୂର୍ଣ୍ଣ ଶରୀରରେ ୧୭ ସୂକ୍ଷ୍ମ ଇନ୍ଦ୍ରୀୟ ରହିଥାଏ । ଏଥିମଧ୍ୟରୁ ୫ କର୍ମେନ୍ଦ୍ରିୟ, ୫ ଜ୍ଞାନେନ୍ଦ୍ରିୟ, ୫ ପ୍ରାଣେନ୍ଦ୍ରିୟ, ଏକ ମନ ଏବଂ ଏକ ବୁଦ୍ଧି । ଏହି ଇନ୍ଦ୍ରିୟମାନେ ୬ଟି ଧାତୁ ତ୍ୱଚ୍ଚା, ରକ୍ତ, ମାଂସ, ମେଦ, ମଜ୍ଜା ଏବଂ ଅସ୍ଥି ନିର୍ମିତ ସ୍ଥୂଳ ଶରୀରରେ ପ୍ରବେଶ କରିବା ପରେ ତାହା ପୂର୍ଣ୍ଣ ଶରୀରରେ ପରିଣତ ହୋଇଥାଏ । ଏଣୁ ସ୍ଥୂଳ ଶରୀରରୁ ଯେତେବେଳେ ସୂକ୍ଷ୍ମ ଇନ୍ଦ୍ରୀୟ ବାହାରିଯାଆନ୍ତି ସେତେବେଳେ ସୂକ୍ଷ୍ମ ଶରୀରର ଉତ୍ପତି ହୋଇଥାଏ । ଏହାକୁ ପ୍ରେତ ସଂଜ୍ଞା ଦିଆଯାଇଥାଏ । ଏହି ବାୟୁତତ୍ୱର ଶରୀର ମାୟା ମୋହରୁ ମୁକ୍ତ ହୋଇନପାରି ପରିଜନମାନଙ୍କ ଚତୁଃପାଶ୍ୱର୍ରେ ଘୂରିବୁଲନ୍ତି । ଏହି ବାୟୁତତ୍ୱ ଶରୀରକୁ ମୁକ୍ତି ଦେବା ପାଇଁ ଶ୍ରାଦ୍ଧ ଆଦି କ୍ରିୟା କରାଯାଇଥାଏ । ଶ୍ରାଦ୍ଧ ବା ପିଣ୍ଡଦାନ ମୁଖ୍ୟତଃ ତିନି ପୁରୁଷଙ୍କ ପାଇଁ କରାଯାଇଥାଏ । ପିତୃପକ୍ଷରେ କରାଯାଉଥିବା କାର୍ଯ୍ୟରେ ପୁର୍ବଜମାନଙ୍କର ଆତ୍ମାକୁ ଶାନ୍ତି ମିଳିଥାଏ । ଏଥିସହିତ ଶ୍ରାଦ୍ଧ କରୁଥିବା ବ୍ୟକ୍ତିକୁ ମଧ୍ୟ ପିତୃଋଣରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ । ଭିଷ୍ମ ପିତାମହ ଥରେ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଶ୍ରାଦ୍ଧ କରୁଥିବା ବ୍ୟକ୍ତିଙ୍କୁ ଉଭୟ ଲୋକରେ ସୁଖ ମିଳିଥାଏ । ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ପିତୃଲୋକମାନେ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

ଏକ ପୌରାଣିକ କଥା ଅନୁସାରେ ମହାଦାନୀ କର୍ଣ୍ଣଙ୍କର ମହାଭାରତ ଯୁଦ୍ଧରେ ନିଧନ ହୋଇଥିଲା ଓ ତାଙ୍କ ଆତ୍ମା ସ୍ୱର୍ଗରେ ପହଞ୍ôଚଥିଲା । ସ୍ୱର୍ଗରେ ତାଙ୍କୁ ଭୋଜନ ପାଇଁ ଖାଦ୍ୟଦ୍ରବ୍ୟ ବଦଳରେ ସୁନା ଏବଂ ବିଭିନ୍ନ ଗହଣାମାନ ଦିଆଯାଇଥିଲା । ଏ ସମ୍ପର୍କରେ କର୍ଣ୍ଣ ଇନ୍ଦ୍ରଦେବତାଙ୍କୁ ଜଣାଇଥିଲେ । ଇନ୍ଦ୍ରଦେବ କର୍ଣ୍ଣଙ୍କୁ ଉତ୍ତରରେ କହିଥିଲେ ଯେ ତୁମେ ତୁମ ଜୀବଦଶାରେ ଅନ୍ୟମାନଙ୍କୁ ସ୍ୱର୍ଣ୍ଣ ଆଭୁଷଣ ଦାନ କରିଛ କିନ୍ତୁ ପୂର୍ବଜମାନଙ୍କୁ କିଛି ଦେଇନାହଁ । ଇନ୍ଦ୍ରଦେବଙ୍କ କଥା ଶୁଣି କର୍ଣ୍ଣ ତାଙ୍କ ପୂର୍ବଜଙ୍କ ବାବଦରେ କିଛି ଜାଣିନଥିବା କହିଥିଲେ । କର୍ଣ୍ଣଙ୍କ କଥା ଶୁଣି ଇନ୍ଦ୍ରଦେବ କର୍ଣ୍ଣଙ୍କୁ ତାଙ୍କ ପୂର୍ବପୁରୁଷଙ୍କ ବାବଦରେ ସୂଚନା ଦେବା ସହ ୧୫ଦିନ ପାଇଁ ପୁଣି ପୃଥିବୀ ପୃଷ୍ଠକୁ ଆସିବା ପାଇଁ ଅନୁମତି ଦେଇଥିଲେ । କର୍ଣ୍ଣ ୧୫ଦିନ ପୃଥିବୀ ପୃଷ୍ଠକୁ ଆସି ତାଙ୍କ ପୂର୍ବଜମାନଙ୍କୁ ସନ୍ତୁଷ୍ଟ କରିପାରିଥିଲେ । ସେହି ୧୫ଦିନକୁ ପିତୃପକ୍ଷ ବୋଲି କୁହାଯାଏ । ଶ୍ରାଦ୍ଧ ନିଜର ଦିବଂଗତ ପୂର୍ବଜମାନଙ୍କୁ ମନେପକାଇ ସେମାନଙ୍କ ପ୍ରତି ଶ୍ରାଦ୍ଧ ଅଭିବ୍ୟକ୍ତ କରିବାର ଅବସର ଦେଇଥାଏ ।
ପିତର ବା ପିତୃପୁରୁଷ ଦୁଇ ପ୍ରକାରର ଯଥା ଦିବ୍ୟ ପିତର ଓ ପୂର୍ବଜ ପିତର । ଦିବ୍ୟ ପିତର ବ୍ରହ୍ମାଙ୍କ ପୁତ୍ର ମନୁଙ୍କ ଠାରୁ ଉତ୍ପନ୍ନ ଋଷିମାନେ । ପିତରମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଅର୍ଯ୍ୟମା । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସେ ହିଁ ପିତରଙ୍କ ମଧ୍ୟରେ ଶ୍ରେଷ୍ଠ ଅର୍ଯ୍ୟମା । ଦ୍ୱିତୀୟ ପ୍ରକାରର ପିତର ହେଉଛନ୍ତି ପୂର୍ବଜ । ପିତୃପକ୍ଷରେ ଆମେ ଏହି ପୂର୍ବଜମାନଙ୍କୁ ମନେ ପକାଇଥାଉ ଏବଂ ସେମାନଙ୍କୁ ପିଣ୍ଡଦାନ ମଧ୍ୟ କରିଥାଉ । ଶ୍ରାଦ୍ଧରେ ବ୍ରାହ୍ମଣମାନଙ୍କୁ ଭୋଜନ ଓ ଦକ୍ଷିଣା ପ୍ରଦାନ କରାଯାଇଥାଏ । କଠୋପନିଷଦ, ଗରୁଡ଼ପୁରାଣ, ମାର୍କଣ୍ଡେୟ ପୁରାଣ ଅନୁସାରେ ପିତର ବା ପିତୃପୁରୁଷମାନେ ପିତୃପକ୍ଷର ଶ୍ରାଦ୍ଧ ସମୟରେ ଅନ୍ନ ଓ ଜଳ ପାଇଁ ଅପେକ୍ଷା କରିଥାନ୍ତି ।

ହିନ୍ଦୁ ସଂସ୍କୃତିରେ ଶ୍ରାଦ୍ଧର ବିଶେଷ ମହତ୍ୱ ରହିଛି । ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ଅନେକ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଦ୍ରବ୍ୟ ଭୋଗ ଲଗାଯାଇଥାଏ । ମାର୍କଣ୍ଡେୟ ଋଷିଙ୍କ ମତରେ ପିତୃପୁରୁଷ ସୂକ୍ଷ୍ମ ଋପରେ ନିଜର ବଂଶଜମାନଙ୍କ ପାଖକୁ ଆସିଥାନ୍ତି । ସଂଧ୍ୟା ପୂର୍ବରୁ ଶ୍ରାଦ୍ଧ ଦିଆଯିବାର ବିଧି ରହିଛି । ସୂର୍ଯ୍ୟ ଅସ୍ତ ହେବାପରେ ଶ୍ରାଦ୍ଧ ଦିଆଯିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ ଦେବତାମାନଙ୍କ ଅପେକ୍ଷା ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଅଧିକ କଲ୍ୟାଣକାରୀ ହୋଇଥାଏ । ସନାତନ ଧର୍ମ ଓ ହିନ୍ଦୁ ସଂସ୍କୃତିରେ ପିତାମାତାଙ୍କ ସେବା ହେଉଛି ସବୁଠାରୁ ବଡ଼ ପୂଜା । ଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କୁ ଉଦ୍ଧାର କରିବା ମଧ୍ୟ ପୁତ୍ରର ଅନିର୍ବାର୍ଯ୍ୟତା । ଶ୍ରାଦ୍ଧ ପୂର୍ବରୁ ତର୍ପଣ କରିବାର ବିଧାନ ରହିଛି । ଧର୍ମଶାସ୍ତ୍ର ଅନୁସାରେ ମନୁଷ୍ୟର ତିନି ପ୍ରକାରର ଗୁଣ ରହିଛି । ଏହା ହେଉଛି ପିତୃଋଣ, ଦେବଋଣ ଏବଂ ଋଷିଋଣ । ଏଥିମଧ୍ୟରୁ ପିତୃଋଣ ସର୍ବୋପରି । ପିତୃଋଣରେ ପିତାଙ୍କ ବ୍ୟତିତ ମାତା ଏବଂ ଅନ୍ୟମାନେ ମଧ୍ୟ ସମ୍ମିଳିତ । ପିତୃପକ୍ଷରେ ପିତାଙ୍କର ତିନି ପୁରୁଷ ଯଥା ପିତା, ପିତାମହ, ପ୍ରପିତାମହ ଏବଂ ମାତା, ମାତାମହି, ପ୍ରମାତାମହିଙ୍କ ପାଇଁ ତର୍ପଣ କରାଯାଇଥାଏ ଓ ପିଣ୍ଡଦାନ କରାଯାଇଥାଏ । ମତ୍ସ୍ୟ ପୁରାଣ ଅନୁସାରେ ଶ୍ରାଦ୍ଧ ୩ପ୍ରକାରର ହୋଇଥିବାବେଳେ ଯମ ସ୍ମୃତିରେ ଶ୍ରାଦ୍ଧ ୫ପ୍ରକାରର ବୋଲି କୁହାଯାଇଛି । କେଉଁ ଅନାଦି କାଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ମାନି ହିନ୍ଦୁ ସଂସ୍କୃତିର ଲୋକେ ତାଙ୍କ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପକ୍ଷରେ ତିଳ ତର୍ପଣ ଓ ପିଣ୍ଡଦାନ କରିଥାନ୍ତି ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

Leave a Reply

Your email address will not be published.

Back to top button