ଖୁବଶୀଘ୍ର ମଣିପୁରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମଣିପୁର ହିଂସାର ଅବସାନ ପାଇଁ ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ସେଠାରେ ଶାନ୍ତି ବିରାଜମାନ କରିବ। ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଅମିତ ଶାହା ଗତକାଲି ଗୃହରେ ମଣିପୁର ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏହି ପ୍ରସଙ୍ଗ ଆଲୋଚନାରୁ ବିରୋଧୀ ଦୂରେଇ ଯାଉଛନ୍ତି। ହେଲେ ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ। ଦେଶ ମଣିପୁରବାସୀ, ଭଉଣୀ ଓ ଝିଅମାନଙ୍କ ସହିତ ରହିଛି।
ମୁଁ ମଣିପୁର ଲୋକଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି ଯେ ସେଠାରେ ଖୁବଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ । ମଣିପୁର ପୁଣି ଥରେ ବିକାଶ ପଥରେ ଆଗକୁ ବଢିବ ବୋଲି ମୋଦୀ କହିଛନ୍ତି। ସେ କହିଲେ ଇନ୍ଦିରା ଗାନ୍ଧିଙ୍କ ସମୟରେ ମିଜୋରାମରେ ବାୟୁସେନା ମାଧ୍ୟମରେ ସାଧାରଣ ଲୋକମାନଙ୍କ ଉପରେ ବୋମା ମାଡ଼ କରାଯାଇଥିଲା। ମିଜୋରାମ ଲୋକ କ’ଣ ଭାରତୀୟ ନଥିଲେ ? ସେଠାକାର ଲୋକ ଆଜି ମଧ୍ୟ ମାର୍ଚ୍ଚ ୫କୁ ଶୋକ ଦିବସ ପାଳନ କରୁଛନ୍ତି।
ସେହିପରି ୧୯୬୨ ଭାରତ-ଚୀନ ଯୁଦ୍ଧ ବେଳେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସାମବାସୀଙ୍କୁ ତାଙ୍କ ଅବସ୍ଥା ଭୋଗିବାକୁ ଛାଡ଼ିଦେଇଥିଲେ। ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପ୍ରତି କଂଗ୍ରେସ ସବୁବେଳେ ଅବହେଳା କରିଆସିଛି। କିନ୍ତୁ ତାଙ୍କ ସରକାରଙ୍କ ଅମଳରେ ସବୁବେଳେ ଉତ୍ତର-ପୂର୍ବ ବିକାଶ ଉପରେ ଗୁରୁତଵ ଦିଆଯାଉଥିବା ବେଳେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦକ୍ଷିଣ-ପୂର୍ବ ଏସିଆ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ଆଗାମୀ ଦିନରେ ଏହି ଅଂଚଳ ବିକାଶ କେନ୍ଦ୍ର ହେବ। ଉତ୍ତର-ପୂର୍ବାଞ୍ଚଳରେ ଆଜି ଯେଉଁ ଅସନ୍ତୋଷ ଦେଖାଯାଉଛି ତାହାର ଜନନୀ ହେଉଛି କଂଗ୍ରେସ। ମଣିପୁରର ସମସ୍ୟାକୁ ଆଜିର ସମସ୍ୟା ବୋଲି ଦେଖାଯାଉଛି। ଦିନଥିଲା ମଣିପୁରର ସବୁ ସମସ୍ୟା ଉଗ୍ରବାଦୀଙ୍କ ଅନୁସାରେ ଚାଲୁଥିଲା। ସେତେବେଳେ ମଣିପୁରରେ କଂଗ୍ରେସର ଶାସନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।