ସେନାକୁ ମିଳିବ ୧୪୦ ପ୍ରଚଣ୍ଡ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ। ସାମିଲ ହେବ ୧୪୦ ପ୍ରଚଣ୍ଡ ହେଲିକପ୍ଟର। ନଭେମ୍ୱର ୩୦ରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି। ଏଥିରେ ଏହି ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିବାର ସୂଚନା ରହିଛି। ସ୍ଥଳ ସେନାକୁ ୯୦ ଓ ବାୟୁ ସେନାକୁ ୫୫ ହେଲିକପ୍ଟର ଦିଆଯିବ। ଏଥିପାଇଁ ଖର୍ଚ୍ଚ ହେବ ୪୫,୦୦୦ କୋଟି ଟଙ୍କା।
ଖବର ଅନୁଯାୟୀ ସେନାର ଆବଶ୍ୟକତା ଅନୁସାରେ ଏହି ଅତ୍ୟାଧୁନିକ ପ୍ରଚଣ୍ଡ ହେଲିକପ୍ଟରକୁ ଏଚଏଏଲ୍ ନିର୍ମାଣ କରିଛି। ମରୁଭୂମି ବ୍ୟତୀତ ସିଆଚିନ୍ ଓ ପୂର୍ବ ଲଦାଖରେ ଏହା କାମ କରିବାର ଦକ୍ଷତା ରଖିଛି। କେବଳ ସେତିକି ନୁହେଁ ପ୍ରଚଣ୍ଡ ୧୬,୪୦୦ ଫୁଟ ଉପରେ ଓହ୍ଲାଇବ ଓ ଉଡ଼ି ପାରିବ। ଏହାର ଲମ୍ୱ ୫୦ ଫୁଟରୁ ଅଧିକ ଓ ୧୫ ଫୁଟ ଉଚ୍ଚ। ହତିଆର ଓ ମିଶାଇଲ ସହ ୫.୮ ଟନ୍ ଓଜନ ନେଇ ଉଡାଣ ଭରିପାରିବ। ଘଣ୍ଟାପ୍ରତି ବେଗ ୨୬୮ କିଲୋମିଟର ଥିବା ବେଳେ ଦୁଇ ଇଞ୍ଜିନ ଓ ଦୁଇ ପାଇଲଟ୍ ରହିବେ।
ପ୍ରଚଣ୍ଡ ହେଲିକପ୍ଟରେ ୨୦ ମିଲିମିଟରର କ୍ୟାଲିବର ଗନ୍ ଓ ୭୦ ମିଲିମିଟରର ରକେଟ୍ ରହିଛି। ଏଥିରେ ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍ କରିହେବ। ଶତ୍ରୁର ଟ୍ୟାଙ୍କ, ବଙ୍କର ଓ ଡ୍ରୋନକୁ ମଧ୍ୟ ନଷ୍ଟ କରିପାରିବ। ଏହି ହେଲିକପ୍ଟର ଆଗାମୀ ତିନି-ଚାରି ଦଶନ୍ଧି ମଧ୍ୟରେ ସୃଷ୍ଟି ହେବାକୁ ଥିବା ସବୁ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ବୋଲି କୁହାଯାଇଛି।