କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ, ବିଜେଡିରେ ମିଶିବେ !

ରାଉରକେଲା : ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଚର୍ଚ୍ଚା ହେଉଛି ସେ ବିଜେଡିରେ ମିଶିବେ। ସେହିପରି ପ୍ରଶାନ୍ତଙ୍କ ସହଯୋଗୀ ତଥା କଂଗ୍ରେସର ରାଜ୍ୟ ସାମାଜିକ ଗଣମାଧ୍ୟମ ସମ୍ପାଦକ ବିଶ୍ଵରଞ୍ଜନ ରାଉତ ମଧ୍ୟ କଂଗ୍ରେସ ଛାଡିଥିବା ଜଣାପଡିଛି।
ସୂଚନାଯୋଗ୍ୟ ପ୍ରଶାନ୍ତ ସେଠୀ କଂଗ୍ରେସକୁ ଯିବା ପୂର୍ବରୁ ବିଜୁ ଶ୍ରମିକ ସାମ୍ମୁଖର ସକ୍ରିୟ କର୍ମୀଭାବେ କାର୍ଯ୍ୟ କରୁଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ରଘୁନାଥପାଲୀ ଆସନରୁ ତାଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ଦଳଛାଡି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ତାଙ୍କୁ ରଘୁନାଥପାଲୀ ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା। ହେଲେ ବିଜେଡିର ସୁବ୍ରତ ତରାଇଙ୍କଠାରୁ ପରାଜିତ ହୋଇଥିଲେ। ପ୍ରଶାନ୍ତ କଂଗ୍ରେସ ଛାଡିବା ପରେ ଏବେ ଚର୍ଚ୍ଚା ହେଉଛି ପୁଣି ବିଜେଡିକୁ ଫେରିବେ।
ଆହୁରି ଶୁଣିବାକୁ ମିଳୁଛି ବର୍ତ୍ତମାନର ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କୁ ୨୦୨୪ରେ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା କମ। କାରଣ ଯେଉଁମାନଙ୍କ ନେତୃତ୍ଵରେ ଦଳ ପରିଚାଳିତ ହେଉଛି ସେମାନଙ୍କ ସହିତ ସୁବ୍ରତ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ଏକପ୍ରକାର ବିଫଳ ହୋଇଛନ୍ତି। ଏବେ ସୁନ୍ଦରଗଡ ବିଜେଡି ରାଜନୀତିରେ ମନ୍ତ୍ରୀ ସାରଦା ନାୟକଙ୍କୁ ଗୁରୁତ୍ଵ ଦିଆଯାଉଛି। ଉପର ମହଲରୁ ତାଙ୍କ ଉପରେ ରହିଛି ଶୁଭଦ୍ରୁଷ୍ଟି। ସେ ଦୃଷ୍ଟିରୁ ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ପ୍ରଶାନ୍ତ ସେଠୀ ବିଜେଡିରେ ମିଶିବେ ବୋଲି ହେଉଥିବା ଆଲୋଚନା ଅଯୌକ୍ତିକ ନୁହେଁ।