ମହିଳା ବିଲକୁ ନେଇ ମୋଦୀ-ରାହୁଲ୍ ମୁହାଁମୁହିଁ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନା ଅଧିନିୟମ) ସଂସଦରେ ଗୃହୀତ ହୋଇଛି। ଏବେ ଏହାକୁ ଲାଗୁ କରିବା ସମୟ ସୀମାକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି ବିଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି କହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଲର କାର୍ଯ୍ୟକାରୀତାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଉ ଦାବି କରିଛନ୍ତି ମହିଳା ସଂରକ୍ଷଣ ବିଲରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରାଯାଉ।

ଖବର ଅନୁଯାୟୀ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ଉଭୟ ଶାସକ ଓ ବିରୋଧୀ ମତପାର୍ଥକ୍ୟ ପରିତ୍ୟାଗ କରି ସମାନ ଭୂମିକା ତୁଲାଇଥିଲେ। ତେଣୁ ଏବେ ଶ୍ରେୟ ନେବା ପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ମହିଳା ସଂରକ୍ଷଣ ବିଲ୍ ଆମର ପ୍ରତିଶ୍ରୁତି ଥିଲା। ଆଜି ଆମେ ଏହାକୁ ପୂରଣ କରିଛୁ। ମହିଳା ବିଲ ଏକ ସାଧାରଣ ଆଇନ ନୁହେଁ। ଏହା ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି।

ସେହିପରି ରାହୁଲ ଗାନ୍ଧି କହିଛନ୍ତି ବିଲ୍ କାର୍ଯ୍ୟକାରୀ କରିବାକୁ ୧୦ ବର୍ଷ କିମ୍ବା ତା’ଠୁ ଅଧିକ ସମୟ ଲାଗିପାରେ। ଏହା ଲାଗୁ ହେବ ନା’ ନାହିଁ ସେକଥା ମଧ୍ୟ ଆମେ ଜାଣି ନାହୁଁ। ସେ କହିଲେ କ୍ଷମତାରେ ଥିବାବେଳେ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍ ପାରିତ କରି ପାରିନଥିଲା। ସେଥିପାଇଁ ସଂପୂର୍ଣ୍ଣ ଭାବେ ଅନୁତପ୍ତ। ଏହି ବିଲରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button