ରାଷ୍ଟ୍ରବାଦ ଏକ ଦୁଇପଟର ଧାର ଥିବା ଖଣ୍ଡା

।। ଗୋପାଳ ମହାପାତ୍ର ।। ବିଗତ କିଛି ବର୍ଷ ହେବ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଶାସକ ଗୋଷ୍ଠୀଙ୍କ ଦ୍ୱାରା ଦୁଇଟି ବିଚାରକୁ ପ୍ରୟାସ ପୂର୍ବକ ପ୍ରାଥମିକତା ଦିଆଯାଉଛି । ଏ ଦୁଇଟି ବିଚାରକୁ ମଧ୍ୟ ଲୋକଙ୍କ ମନରେ ପୁରାଇ ଦିଆଯାଉଛି । ଏ ଦୁଇଟି ବିଚାର ବା ଦୁଇଟି ଶବ୍ଦ ହେଉଛି ରାଷ୍ଟ୍ରବାଦ ଓ ଦେଶଭକ୍ତି । କହିବାକୁ ଗଲେ ଏ ଦୁଇଟି ଶବ୍ଦ ବା ବିଚାର ସକାରତ୍ମକତା ଏବଂ ଗୌରବବୋଧର ପରିଚାୟକ । ଏଇଥିପାଇଁ ଏହା ସକାରତ୍ମକ ଓ ଗୌରବ ର ପରିଚାୟକ ଯେ ରାଷ୍ଟ୍ରବାଦ ର ଦମ୍‌ରେ ଶହ ଶହ ଛୋଟ ଛୋଟ ରାଜ୍ୟରେ ବାଣ୍ଟି ହୋଇଥିବା ଭାରତକୁ ଏକଜୁଟ କରାଯାଇପାରିଛି । ଏହାର ଆଧାରରେ ସ୍ୱାଧିନତା ଆନ୍ଦୋଳନ ହୋଇଛି ଓ ଦେଶ ମଧ୍ୟ ସ୍ୱାଧିନ ହୋଇଛି । ଏପରିକି ଦେଶ ସ୍ୱାଧିନ ହେବାପରେ ଦେଶରେ ଥିବା ବହୁଳତାବାଦୀ ସମାଜକୁ ରାଜନୈତିକ ଚାପରେ ଏକଜୁଟ କରାଯାଇପାରିଛି । କିନ୍ତୁ ଏହା ହେଉଛି ଗୋଟିଏ ପାଶ୍ୱର୍ । ଏକଥା ମଧ୍ୟ ସତ୍ୟ ଯେ ଏହି ରାଷ୍ଟ୍ରବାଦ ନାମରେ ହିଟଲର ସାମ୍ରାଜ୍ୟବାଦର ଖେଳ ଖେଳିଥିଲେ ଏବଂ ଲକ୍ଷ ଲକ୍ଷ ଇହୁଦୀଙ୍କୁ ହତ୍ୟା କରିଥିଲେ । ରାଷ୍ଟ୍ରବାଦ ଏକ ଦୁଇପଟରେ ଧାରଥିବା ଖଣ୍ଡା ବୋଲି କହିବାକୁ ହେବ ଯାହାର ଗୋଟିଏ ପଟ ଉତ୍କଟ ନିଷ୍ଠାକୁ ଜନ୍ମ ଦେଇଥାଏ ଓ ଅପର ପଟଟି ବିଦ୍ୱେଶ ଭାବ ସୃଷ୍ଟି କରାଇଥାଏ । ସ୍ପଷ୍ଟ ଅର୍ଥ ହେଉଛି ଶାସକ ଚାହିଁଲେ ଜନତାଙ୍କ ହିତ ସାଧନ ପାଇଁ ଏହାର ସଦୁପଯୋଗ କରିପାରିବେ ନହେଲେ ନିଜର ସ୍ୱାର୍ଥ ସାଧନ ପାଇଁ ଏହାର ଦୁରୁପଯୋଗ ମଧ୍ୟ କରିପାରିବେ । ଏଣୁ ଏହି ଶବ୍ଦ ବା ବିଚାରକୁ ଗଭୀର ଭାବେ ବୁଝିବାର ଆବଶ୍ୟକତା ରହିଛି ।

ରାଷ୍ଟ୍ରବାଦର ଉତ୍ପତ୍ତି ‘ରାଷ୍ଟ୍ର’ ଶବ୍ଦରୁ ହୋଇଛି । ରାଷ୍ଟ୍ରର ଅବଧାରଣା ମଧ୍ୟ ଅଧିକ ପୁରୁଣା ନୁହେଁ । ଏହା ଏକ ଆଧୁନିକ ସଂକଳ୍ପନା, କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱ ସମୁଦାୟ ଏହି ଶବ୍ଦକୁ ଗ୍ରହଣ କରିନେଇଛି । ରାଷ୍ଟ୍ରର ଅର୍ଥ ହେଉଛି ଏକ ନିର୍ଦ୍ଧିଷ୍ଟ ଭୂଖଣ୍ଡରେ ରହୁଥିବା ଲୋକଙ୍କର ଏମିତି ଏକ ଗୋଷ୍ଠୀ ଯେଉଁମାନଙ୍କର ଜାତି ଗୋଟିଏ, ଇତିହାସ ମଧ୍ୟ ଗୋଟିଏ, ସଂସ୍କୃତି ଗୋଟିଏ ଏବଂ ଭାଷା ମଧ୍ୟ ଗୋଟିଏ । ଧର୍ମକୁ ରାଷ୍ଟ୍ରର ବୁନିଆଦି ଆଧାର ବୋଲି ମାନ୍ୟତା ଦିଆଯାଇନାହିଁ । ତଥାପି ଏହି ଆଧାରରେ ରାଷ୍ଟ୍ରର ନିର୍ମାଣ ମଧ୍ୟ ହୋଇଛି । ଭାରତର ବିଭାଜନ କଥାରୁ ଏକଥା ସ୍ପଷ୍ଟ । ପ୍ରଶ୍ନ ଉଠିପାରେ ଯେ ଯଦି ଜାତି, ଇତିହାସ, ସଂସ୍କୃତି ଏବଂ ଭାଷାର ସମନ୍ୱୟରେ ରାଷ୍ଟ୍ର ନିର୍ମାଣ ହୋଇଥାଏ ତେବେ ରାଷ୍ଟ୍ରକୁ ସବୁବେଳେ ଏକଜୁଟ ରଖିବାରେ ଏସବୁ ମାନଙ୍କ ସଫଳ ହୁଏ ନାହିଁ କାହିଁକି? ଅନ୍ୟପକ୍ଷରେ ଭାରତ ସମେତ ଅନେକ ଏମିତି ରାଷ୍ଟ୍ର ରହିଛି ଯେଉଁ ସବୁ ରାଷ୍ଟ୍ରରେ ଅନେକ ଭାଷା-ଭାଷି, ଜାତି ଓ ଧର୍ମାବଲମ୍ବୀ ରହୁଛନ୍ତି ତଥାପି ଦେଶ ଏକଜୁଟ ହୋଇରହିଛି । ତେବେ କେଉଁ କାରଣ ପାଇଁ ଏମାନେ ରାଷ୍ଟ୍ର ରୁପରେ ଏକଜୁଟ ହୋଇରହିଛନ୍ତି? କଥା ହେଉଛି, ରାଷ୍ଟ୍ର ଏକ କାଳ୍ପନିକ ସମୁଦାୟ, ଯିଏ ନିଜର ସଦସ୍ୟମାନଙ୍କ ସାମୁହିକ ବିଶ୍ୱାସ, ଆକାଂକ୍ଷା, କଳ୍ପନା ଏବଂ ଅତୀତକୁ ନେଇ ଗୋଟିଏ ସୂତ୍ରରେ ବନ୍ଧା ହୋଇଥାଏ ।

ରାଷ୍ଟ୍ରବାଦ ଭାରତୀୟ ଚିନ୍ତନର ଉତ୍ପତ୍ତି ନୁହେଁ । ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦି ମଧ୍ୟରେ ୟୁରୋପରେ ଏହି ରାଷ୍ଟ୍ରବାଦ ବିଚାରର ଉତ୍ପତି ହୋଇଥିଲା । ଜନ୍ ଗଟଫ୍ରେଡ଼ ହର୍ଡର ହେଉଛନ୍ତି ରାଷ୍ଟ୍ରବାଦ ବିଚାରର ଜନକ ଯିଏ ସର୍ବପ୍ରଥମେ ଏହି ଶବ୍ଦର ପ୍ରୟୋଗ କରି ଜର୍ମାନୀରେ ରାଷ୍ଟ୍ରବାଦର ମୂଳଦୁଆ ପକାଇଥିଲେ । ରାଷ୍ଟ୍ରବାଦ ଶବ୍ଦର ସ୍ପଷ୍ଟ ପରିଭାଷା ମଧ୍ୟ ପ୍ରସ୍ତୁତ କରାଯାଇପାରି ନାହିଁ । ଅନେକଙ୍କ ମତରେ ରାଷ୍ଟ୍ରବାଦ ହେଉଛି ଲୋକଙ୍କର ଗୋଟିଏ ଗୋଷ୍ଠୀର ଆସ୍ଥାର ନାମ ଅଟେ ଯାହାକୁ ନେଇ ସେମାନେ ସମାନ ଇତିହାସ, ପରମ୍ପରା, ଭାଷା ଜାତିୟତା ବା ଜାତିବାଦ ଏବଂ ସଂସ୍କୃତିର ଆଧାରରେ ଏକଜୁଟ ହୋଇଥାନ୍ତି । ପ୍ରଫେସର ସ୍ନାଇଡ଼ରଙ୍କ ମତରେ ଇତିହାସର ଏକ ବିଶେଷ ପର୍ଯ୍ୟାୟରେ ରାଜନୈତିକ, ଆର୍ଥୀକ, ସାମାଜିକ ଓ ବୌଦ୍ଧିକ କାରଣର ଏକ ଉତ୍ପାଦ ହେଉଛି ରାଷ୍ଟ୍ରବାଦ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ରାଷ୍ଟ୍ରବାଦ ପ୍ରସଙ୍ଗରେ ଚିନ୍ତନ ବ୍ୟାପକ ଅଟେ । ସେ ମଧ୍ୟ ଅନେକ ସମୟରେ ଓ ସାର୍ବଜନିକ ମଞ୍ଚରେ ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କ ମତ ରଖିଛନ୍ତି । ତାଙ୍କ ମତକୁ ଅନେକେ ସମାଲୋଚନା ମଧ୍ୟ କରିଛନ୍ତି କିନ୍ତୁ ସେ ତାଙ୍କ ମତରୁ ଓହରି ନଥିଲେ । ସମ୍ଭବତଃ ବିଶ୍ୱକବି ରାଷ୍ଟ୍ରବାଦ ର କୁପରିଣାମ ସମ୍ପର୍କରେ ଆକଳନ କରିପାରିଥିଲେ । ୧୯୧୭ ମସିହାରେ ଏକ ସାର୍ବଜନିକ ମଞ୍ଚରେ ଭାଷଣ ଦେଇ ବିଶ୍ୱକବି କହିଥିଲେ ଯେ “ରାଷ୍ଟ୍ରବାଦ ରାଜନୈତିକ, ଆର୍ଥୀକ ଏବଂ ସଂଗଠନାତ୍ମକ ଆଧାରରେ ଉତ୍ପାଦନ ବୃଦ୍ଧି ଏବଂ ମାନବୀୟ ଶ୍ରମର ସଞ୍ଚୟ କରି ଅଧିକ ସମ୍ପନ୍ନତା ହାସଲ କରିବାର ପ୍ରୟାସ ଅଟେ ।” ରାଷ୍ଟ୍ରବାଦର ଧାରଣା ମୂଳତଃ ରାଷ୍ଟ୍ରର ସମୃଦ୍ଧି ଏବଂ ରାଜନୈତିକ ଶକ୍ତିବୃଦ୍ଧି ପାଇଁ ବ୍ୟବହାର କରାଯାଉଛି । ଶକ୍ତିବୃଦ୍ଧିର ଏହି ସଂକଳ୍ପନାରେ ଦେଶରେ ବା ରାଷ୍ଟ୍ରରେ ପରସ୍ପର ମଧ୍ୟରେ ଦ୍ୱେଷ, ଘୃଣା ଏବଂ ଭୟର ବାତାବରଣ ସୃଷ୍ଟି କରାଯାଇ ମାନବ ଜୀବନକୁ ଅସ୍ଥିର ଏବଂ ଅସୁରକ୍ଷିତ କରିଦିଆଯାଉଛି । ଏହାକୁ ସିଧାସଳଖ ଭାବରେ ମାନବ ଜୀବନ ସହିତ ଖେଳ ବୋଲି କୁହାଯାଇପାରେ । କାରଣ ରାଷ୍ଟ୍ରବାଦ ର ଏହି ଶକ୍ତିର ପ୍ରୟୋଗ ବାହ୍ୟ ଶକ୍ତିଙ୍କ ପାଇଁ ତ ବ୍ୟବହାର କରାଯାଏ ଏଥିସହ ରାଷ୍ଟ୍ରର ଆଭ୍ୟନ୍ତରୀଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ଶକ୍ତିର ପ୍ରୟୋଗ କରାଯାଇଥାଏ । ଏଭଳି ସ୍ଥିତିରେ ସମାଜ ଏବଂ ବ୍ୟକ୍ତିର ଜୀବନ ଉପରେ ଏହି ଶକ୍ତି ଭାରି ପଡ଼ିଯାଇଥାଏ ଓ ଏକ ଭୟାବହ ନିୟନ୍ତ୍ରଣକାରୀ ସ୍ୱରୁପ ଭାବେ ଉଭା ହୋଇଥାଏ । ଦୁର୍ବଳ ଏବଂ ଅସଂଗଠିତ ପଡ଼ୋଶୀ ରାଜ୍ୟକୁ ଅଧିକାର କରିବାର ଉଦ୍ୟମ ରାଷ୍ଟ୍ରବାଦର ହିଁ ସ୍ୱଭାବିକ ପ୍ରତିଫଳନ । ଏଥିରୁ ସୃଷ୍ଟ ସାମ୍ରାଜ୍ୟବାଦକୁ ଅନ୍ତତଃ ମାନବତା ର ସଂହାରକ ବୋଲି କୁହାଯାଇପାରେ । ଯେଉଁ ରାଷ୍ଟ୍ରବାଦକୁ ବିଶ୍ୱକବି ମାନବତା ପାଇଁ ବିପଦ ବୋଲି କହୁଥିଲେ ତାହା ଠିକ୍ ବୋଲି ପ୍ରମାଣିତ ହୋଇଥିଲା । ରାଷ୍ଟ୍ରବାଦ ନାମରେ ୧୯୩୯ ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ଏବଂ ୧୯୪୫ରେ ହିରୋସିମା ନାଗାସାକିରେ ବୋମା ମାଡ଼ ଏହାର ପ୍ରକୃଷ୍ଟ ଉଦାହରଣ । ବିଶ୍ୱକବି ଲେଖିଛନ୍ତି ଯେ, “ରାଷ୍ଟ୍ରବାଦ ଜନିତ ସଂକୀର୍ଣ୍ଣତା ମଣିଷର ପ୍ରାକୃତିକ ସ୍ୱଚ୍ଛନ୍ଦତା ଏବଂ ଆଧ୍ୟାତ୍ମିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଏଭଳି ରାଷ୍ଟ୍ରବାଦ ଯୁଦ୍ଧ ଉନ୍ମାଦକ ଏବଂ ସମାଜ ବିରୋଧି ହୋଇଥାଏ କାରଣ ରାଷ୍ଟ୍ରବାଦ ନାମରେ ଶାସକ ଶକ୍ତିର ଅନିୟନ୍ତ୍ରିତ ପ୍ରୟୋଗ କରିଥାନ୍ତି ଯେଉଁଥିପାଇଁ ଅନେକ ଅପରାଧ ଜନ୍ମ ନେଇଥାଏ ।”

ରାଷ୍ଟ୍ରବାଦ ଏବଂ ଦେଶଭକ୍ତିକୁ ସାଧାରଣତଃ ସମାନ ଅର୍ଥରେ ନିଆଯାଇଥାଏ କିନ୍ତୁ ଏ ଦୁଇ ଶବ୍ଦର ଅର୍ଥରେ ପାର୍ଥକ୍ୟ ରହିଛି । ରାଷ୍ଟ୍ରବାଦ ଅନିର୍ବାର୍ଯ୍ୟ ଭାବେ କୌଣସି ନା କୌଣସି କାର୍ଯ୍ୟକ୍ରମ ଏବଂ ପରିଯୋଜନାର ବାହକ ଅଟେ କିନ୍ତୁ ଦେଶଭକ୍ତି ର ଭାବନାରେ ଏମିତି କିଛି ନଥାଏ । ବିଶ୍ୱକବି ମାନବତାକୁ ସର୍ବୋତ୍ତମ ବୋଲି କହିଛନ୍ତି । ସେ କହିଥିଲେଯେ, “ଯେ ପର୍ଯ୍ୟନ୍ତ ମୁଁ ବଞ୍ôଚଛି ମାନବତା ଉପରେ ଦେଶ ଭକ୍ତିର ବିଜୟ ହେବାକୁ ଦେବି ନାହିଁ ।” ରବିନ୍ଦ୍ର ନାଥ ଠାକୁରଙ୍କ ମତ ଥିଲା ଯେ ଦେଶଭକ୍ତି ଆମର ଶେଷ ଆଧ୍ୟାତ୍ମିକ ସହାୟକ ହୋଇନପାରେ । ଆମ ଭାରତବାସୀଙ୍କ ପାଇଁ ଗର୍ବର କଥା ହେଉଛି ହଜାର ହଜାର ବର୍ଷ ହେବ କାହିଁ କେତେ ଯୁଗରୁ “ବସୁଧୈବ କୁଟୁମ୍ବକମ୍‌” ଭଳି ଉଦାସ ମୂଲ୍ୟବୋଧ ଆମ ସଂସ୍କୃତିର ଅଂଶ ବିଶେଷ ହୋଇଯାଇଛି । ଆମ ଇତିହାସ ହେଉଛି ସାକ୍ଷୀ ଯେ ଆମେ ବିଶ୍ୱକୁ ଆମ ପରିବାର ଭାବି ସମସ୍ତଙ୍କୁ ଆପଣାର କରୁଛୁ । ଏହି ବିଚାରଧାରା ପାଇଁ ବିଶ୍ୱ ସମୁଦାୟ ଆମକୁ ସମ୍ମାନ ଦେଉଛି ଏବଂ ବିଶିଷ୍ଟ ବା ସର୍ବୋତ୍ତମ ବୋଲି କହୁଛି।

ରାମଚନ୍ଦ୍ରପୁର, ରଣପୁର
ମୋ.-୯୪୩୮୪୮୫୦୯୪

Leave a Reply

Your email address will not be published.

Back to top button