କୌଣସି ଶକ୍ତି ମୋତେ ଅଟକାଇ ପାରିବନି : ରୋହିତ ପୂଜାରୀ

ଭୁବନେଶ୍ଵର : ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦାହେବା ପରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ। ସେ କହିଛନ୍ତି ମୁଁ ମଲା ପର୍ଯ୍ୟନ୍ତ ରେଢ଼ାଖୋଲ ସହ ରହିଛି ଓ ରହିବି। କୌଣସି ଶକ୍ତି ମୋତେ ଅଟକାଇ ପାରିବନି। ଏବେ ପ୍ରଶ୍ନ ଉଠୁଛି ତାଙ୍କୁ ଅଟକାଇବାକୁ କିଏ ଚେଷ୍ଟା କରୁଛି ? ତାହାଛଡା ସେ କହିଛନ୍ତି ମଲା ପର୍ଯ୍ୟନ୍ତ ରେଢ଼ାଖୋଲ ସହ ରହିବି। ଯଦି ବିଜେଡି ଟିକେଟ ନମିଳେ ତେବେ କ’ଣ ଦଳ ପରିବର୍ତ୍ତନ କରିବେ ?

ଯାହାବି ହେଉ ରୋହିତ ଜଣେ ଚତୁର ରାଜନେତା। ଅଳ୍ପ କଥାରେ ନିଜ ଦଳର ଅର୍ନ୍ତଦ୍ଵନ୍ଦ୍ଵକୁ ପଦାକୁ ଆଣିବା ସହିତ ବିପକ୍ଷ ଦଳର ନେତାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆଉ ରେଢାଖୋଲବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ସେ କେବେଳ ନିର୍ବାଚନମଣ୍ଡଳୀ ବିଷୟରେ ଚିନ୍ତା କରୁଛନ୍ତି। କିନ୍ତୁ ବିଜେଡି ମୁଖିଆ ଏ କଥା ବୁଝିଲେ ହେଲା। ନଚେତ ନିରାଶ ହେବାକୁ ପଡିବ। ଏପରି ଆଶଙ୍କାର କାରଣ ହେଲା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରେଢାଖୋଲ ପାଇଁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି। ଯଦି ଏକଥା ସତହୁଏ ତେବେ ରୋହିତ କେଉଁ କୂଳର ହେବେ ? କୁହାଯାଉଛି ପୂର୍ବରୁ ନେତାଙ୍କ ଅବସର ବୟସ ପ୍ରସଙ୍ଗ ଉଠାଇ ମନ୍ତ୍ରୀପଦ ଗଲା। ଏବେ ମୁହଁ ବନ୍ଦ ନକଲେ ଦଳୀୟ ଟିକେଟ ଯିବ।

ଖବର ଅନୁଯାୟୀ ରେଢ଼ାଖୋଲ କଦଳୀଗଡ଼ରେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମରେ ରୋହିତ ପୂଜାରୀ ଥିଲେ। ଏହି ଅବସରରେ ସେ କହିଥିଲେ ମନ୍ତ୍ରୀପଦ ଗଲା ମୋର ଦୁଃଖ ନାହିଁ। ମୁଁ କମ୍‌ ସମୟ ପାଇଁ ରହିଥିଲେ ମଧ୍ୟ ଢେର କିଛି କରିଛି। ବୋଧେ ଆଉ ଟିକେ ଅଧିକ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ ମୋ ଉପରେ ଖୁସି ହୋଇଥାଆନ୍ତେ।

ସେ କହିଛନ୍ତି ରେଢାଖୋଲ ପାଇଁ ଯାହା କରିବାକୁ ଚାହୁଁଥିଲି ତାହା କରିଛି। କିସିଣ୍ଡା, ବଡ଼ମାଲ ଓ ପଡ଼ିଆବାହାଲରେ ଗୋଟିଏ ଲେଖାଏଁ +୩ କଲେଜ କରିବା ପାଇଁ ମୁଁ ଚେଷ୍ଟା କରିଥିଲି। ଆଉ କିଛିଦିନ ମନ୍ତ୍ରୀ ପଦରେ ଥିଲେ ସେହି ୩ଟି ସ୍ଥାନରେ କଲେଜ ହୋଇଥାନ୍ତା। ସେଇଟା ମୋର ବଡ଼ ଦୁଃଖ। ଆଗକୁ ବିଧାୟକ ଭାବେ ସେଥିପ୍ରତି ଉଦ୍ୟମ କରିବି।

ରୋହିତ କହିଛନ୍ତି କିଛି ରାଜନୈତିକ ଦଳ ଭୁଅଁ ବୁଲାଇ ୟୁଏସ୍‌, କଶ୍ମୀର ଓ ପାକିସ୍ତାନ କଥା କହୁଛନ୍ତି। ହେଲେ ସେମାନେ ରେଢାଖୋଲ ପାଇଁ କ’ଣ କରିଛନ୍ତି ? ପିଲାଙ୍କ ପାଇଁ କ’ଣ କରିଛନ୍ତି ? ସେ ବିଷୟରେ କିଛି କହୁନାହାନ୍ତି। ମୁଁ ଚାହିଥିଲି ଏଠାରେ ଗୋଟିଏ ଏମ୍‌ଏସ୍‌ଏମଇ ପାର୍କ ହେଉ। ହେଲେ କିଛି ଲୋକ ବିରୋଧ କରିଥିଲେ। ସ୍ଥାନୀୟ ଲୋକ ଚାହୁଁନଥିବାରୁ ତାହା ହେଲା ନାହିଁ। ମୋର ବଳ ହେଉଛନ୍ତି ଆପଣମାନେ। ମୋତେ ଆପଣମାନେ ଯେତେବଳ ଦେବେ ସେତେ ସ୍ପିଡ୍‌ରେ ମୁଁ ଦୌଡିବି। ଆପଣଙ୍କ ସହଯୋଗ ନରହିଲେ ମୁଁ ହୀରୋରୁ ଜିରୋ ହେବାକୁ ବେଶୀ ସମୟ ଲାଗିବନି। ମୁଁ ଆପଣମାନଙ୍କ ସହିତ ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button