ନାବାଳିକା ମୃତ୍ୟୁ ଘଟଣା : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଶରତ ସସ୍ପେଣ୍ଡ

କଟକ : ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାଶଙ୍କ ମୃତ୍ୟୁ ଘଟଣାରେ ଶରତ ନାୟକଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଛାତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକ କିଭଳି ମୃତଦେହକୁ ପୋଡ଼ି ଦେଲେ ଓ ପାଉଁଶକୁ ନଦୀରେ ଭସାଇ ଦେଲେ ସେ ନେଇ ଶରତ ନାୟକ ସୂଚନା ଦେଉଥିଲେ। ଛାତ୍ରୀଙ୍କ ପ୍ରେମିକ କୁହାଯାଉଥିବା ପିଇଟି ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ସହ ଟଙ୍କା ଡିଲ୍ କରୁଥିଲେ। ମାମଲା ଚପାଇ ଦେବା ପାଇଁ ୭୦ହଜାର ଟଙ୍କା ଦାବି କରୁଥିଲେ। ଏହି ଅଡିଓ ପ୍ରଘଟ ହେବା ପରଠାରୁ ବିବାଦୀୟ ନେତା ଶରତ ନାୟକଙ୍କ ଦେଖାମିଳୁନାହିଁ।