ରାଜ୍ୟରେ ପ୍ରତିଦିନ ୩୨ ଦୁର୍ଘଟଣା ଓ ୧୫ ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ : ଓଡ଼ିଶାରେ ପ୍ରତ୍ୟେକ ଦିନ ୩୨ଟି ସଡ଼କ ଦୁର୍ଘଟଣା ଘଟୁଛି। ୧୫ ଜଣଙ୍କର ଜୀବନ ଯାଇଛି।କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟରୁ ପ୍ରକାଶିତ ରୋଡ୍‌ ଆକ୍ସିଡେଣ୍ଟସ୍ ଇନ୍‌ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଏହା ଜଣାପଡିଛି।

ଖବର ଅନୁଯାୟୀ ରିପୋର୍ଟରେ କୁହାଯାଇଛି ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪,୪୩,୩୬୬ ଜଣ ଆହତ ହୋଇଛନ୍ତି। ଓଡ଼ିଶାରେ ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣା ସଂଖ୍ୟା ୬.୨ ପ୍ରତିଶତ ଓ ମୃତ୍ୟୁ ୨.୭ ପ୍ରତିଶତ ବଢିଛି। ୨୦୨୧ରେ ରାଜ୍ୟରେ ୧୦,୯୮୩ଟି ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୨୨ରେ ୧୧,୬୬୩ରେ ପହଞ୍ଚିଛି। ୨୦୨୧ରେ ୫୦୮୧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସଡ଼କ ଦୁର୍ଘଟଣା ସଂଖ୍ୟାରେ ଓଡ଼ିଶା ସମଗ୍ର ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛି।

ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ଘଟିଥିବା ମୋଟ ସଡ଼କ ଦୁର୍ଘଟଣାରୁ ୫୧୪୦ଟି ଗୁରୁତର ଦୁର୍ଘଟଣା ରହିଥିଲା। ୧୦,୩୦୨ ଜଣ ଲୋକ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ଏହି ସଂଖ୍ୟା ରହିଛି ୯୭୮୨। ଓଡ଼ିଶାରେ ଜାତୀୟ ରାଜପଥରେ ୪୩୧୭ଟି ଦୁର୍ଘଟଣା ହୋଇଥିଲା।
ଏଥିରୁ ଗୁରୁତର ଦୁର୍ଘଟଣା ସଂଖ୍ୟା ୧୯୧୭। ୨୦୪୩ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୨ରେ ଓଡ଼ିଶାର ରାଜ୍ୟ ରାଜପଥଗୁଡ଼ିକରେ ୨୬୪୮ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ୧୨୭୪। ୨୦୨୧ରେ ରାଜ୍ୟ ରାଜପଥରେ ଦୁର୍ଘଟଣା ସଂଖ୍ୟା ୨୩୩୯ ଓ ମୃତ୍ୟୁସଂଖ୍ୟା ୧୦୯୯ ଥିଲା। ସେହିଭଳି ରାଜ୍ୟ ରାଜପଥରେ ୨୦୨୧ ତୁଳନାରେ ୨୦୨୨ରେ ଆହତମାନଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ୨୦୨୧ରେ ରାଜ୍ୟ ରାଜପଥ ଦୁର୍ଘଟଣାରେ ଆହତମାନଙ୍କ ସଂଖ୍ୟା ୨୧୨୯ ଥିବାବେଳେ ୨୦୨୨ରେ ଏହା ୨୩୭୩ରେ ପହଞ୍ଚିଛି। ୨୦୨୨ରେ ଓଡ଼ିଶାର ସହରାଞ୍ଚଳରେ ୧୬୦୨ ଓ ଗ୍ରାମାଞ୍ଚଳରେ ୩୫୩୮ ସଡ଼କ ଦୁର୍ଘଟଣା ହୋଇଛି।

ସଡ଼କ ଦୁର୍ଘଟଣାରେ ୨୫ରୁ ୩୫ ବର୍ଷ ବୟସର ୮୩୦ ପୁରୁଷ ଓ ୨୫ ଜଣ ମହିଳା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ୮୦୦ ଜଣ ପଦଯାତ୍ରୀ, ୧୯୯ ସାଇକଲ ଚାଳକ ଓ ୨୪୯୮ ଜଣ ଦୁଇ ଚକିଆ ଚାଳକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଓଭରସ୍ପିଡ୍‌ ଜନିତ ୭୩୮୩ ଦୁର୍ଘଟଣାରେ ୩୬୭୫ ଜଣଙ୍କ ମୃତ୍ୟୁ ହୋଇଛି। ମଦ୍ୟପାନ ଜନିତ ୬୫୪ ଗାଡ଼ି ଚାଳନା ଦୁର୍ଘଟଣାରେ ୩୦୧ ଜଣଙ୍କ ମୃତ୍ୟୁ ଓ ୧୧୪୦ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଘଟଣାରେ ୪୩୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button