ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ ଲାଗିଲା କଟକଣା

ପୁରୀ : ଶ୍ରୀମନ୍ଦିରରେ ପୁଣି ଲାଗିଲା ପଲିଥିନ ଉପରେ କଟକଣା। ଭକ୍ତ କିମ୍ବା ସେବାୟତ କେହି ମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରିପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଖବର ଅନୁଯାୟୀ ପୂର୍ବରୁ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଉନଥିଲେ। ଏବେ ଶ୍ରୀମନ୍ଦିର ପ୍ରଶାସନ ପଲିଥିନ ବନ୍ଦ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତେଣୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଫୁଲ, ଭୋଗ ସାମଗ୍ରୀ ପଲିଥିନରେ ନେବା ପରିବର୍ତ୍ତେ କପଡା ବ୍ୟାଗରେ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି।

ସେହିପରି ଶ୍ରୀମନ୍ଦିର ଭିତରେ ସେବାୟତମାନେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ବିକଳ୍ପ ବ୍ୟାଗ ଭାବେ କପଡ଼ାରେ ପ୍ରସ୍ତୁତ ବ୍ୟାଗ୍ କିମ୍ବା ବିଭିନ୍ନ ପ୍ରାକୃତିକ ପଦ୍ଧତିରେ ତିଆରି ବ୍ୟାଗ୍ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଏଦିଗରେ ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। କାରଣ ପଲିଥିନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ପୁରୀ ସହରର ସୌନ୍ଦର୍ଯ୍ୟ ରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପ୍ରଶାସନର ଏହି ନିୟମକୁ ସେବାୟତମାନେ ସ୍ୱାଗତ କରିଛନ୍ତି।‌

Leave a Reply

Your email address will not be published. Required fields are marked *

Back to top button