ଡିଗ୍ରୀ କଲେଜରେ ଖାଲି ପଡିଛି ୧ ଲକ୍ଷ ୧୧ ହଜାର ସିଟ୍

ଭୁବନେଶ୍ଵର : ଚଳିତବର୍ଷ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ତରରେ ନାମଲେଖା ସାରିଥିଲେ ହେଁ ୧ ଲକ୍ଷ ୧୧ ହଜାର ସିଟ୍ ଫାଙ୍କା ପଡିଛି। ଡିଗ୍ରୀ କଲେଜ ଗୁଡିକରେ ଏଭଳି ସ୍ଥିତି। ଛାତ୍ରଛାତ୍ରୀମାନେ ଜେନେରାଲ ଷ୍ଟ୍ରିମ୍ରୁ ମୁହଁ ଫେରାଇ ନେଉଥିବାରୁ ଉଚ୍ଚ ଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି।
ଖବର ଅନୁଯାୟୀ ଯୁକ୍ତ ଦୁଇରେ ମଧ୍ୟ ସ୍ଥିତି ସମାନ। ସିଟ୍ ଖାଲି ପଡିବାରୁ ଦ୍ୱିତୀୟ ପର୍ଯ୍ୟାୟ ଆଡ୍ମିଶନ କରାଯାଇଛି। ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ପିଲାଙ୍କ ଯୁକ୍ତି, ବୈଷୟିକ ଶିକ୍ଷାରେ ଆତ୍ମନିର୍ଭର ଓ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଏହା ପ୍ରଥମ ପସନ୍ଦ ପାଲଟୁଛି।
ରାଜ୍ୟରେ ମୋଟ୍ ୧୦୪୦ ଡିଗ୍ରୀ କଲେଜରେ ୨ ଲକ୍ଷ ୭୦ ହଜାର ୧୬୩ ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୫୯ ହଜାର ୫୫ ସିଟରେ ପିଲା ଆଡମିଶନ୍ କରିଛନ୍ତି। ଏବେ ମଧ୍ୟ ଲକ୍ଷେ ୧୧ ହଜାର ୧୦୮ ସିଟ ଫାଙ୍କା ପଡ଼ିଛି। କଳାରେ ୪୮ ହଜାର ୪୫୪, ଫିଜିକାଲ୍ ସାଇନ୍ସ ରେ ୨୬ ହଜାର ୫ ଶହ, ବାୟୋଲୋଜିକାଲ ସାଇନ୍ସରେ ୧୨ ହଜାର ୩୪୨, ବାଣିଜ୍ୟରେ ୧୭ ହଜାର ୬୯ ସିଟ୍ ଖାଲି ପଡିଛି। ଏଭଳି ସ୍ଥିତିକୁ ଦେଖି ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ୍ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଚିନ୍ତା କରୁଛି। ଏଥିପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଇ ଟାଇମ୍ ଲାଇନ୍ ଦିଆଯିବ।