ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ସ୍କୁଲ ୟୁନିଫର୍ମ

ଭୁବନେଶ୍ଵର : ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲ୍‌ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା-ମୋଜା ମାଗଣାରେ ମିଳିବ। ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

ଚଳିତ ଶିକ୍ଷାବ‌ର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏନେଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଛି। ସ୍କୁଲ୍‌ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ଥା ପାଇଁ ୬୦୦ ଟଙ୍କା ମିଳୁଥିଲା ବେଳେ ଏବେ ଏହାକୁ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌ରେ ଏହି ବ୍ୟବସ୍ଥା ରଖାଯାଇଛି।୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ଦୁଇହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ଏଥିସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟପ୍ରତି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ।

ପୂର୍ବରୁ କେବଳ ପ୍ରଥମରୁ ଅ‌ଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋ‌ଷାକ ଓ ଜୋତା-ମୋଜା ପାଉଥିଲେ। ଏବେ ହାଇସ୍କୁଲ ପିଲାଙ୍କୁ ଏହି ସୁବିଧା ମିଳିବାକୁ ନେଇ ସରକାରୀ ହାଇସ୍କୁଲ୍‌ରେ ଉତ୍ସାହ ଦେଖା ଦେଇଛି। ହାଇସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା- ମୋଜା ଯୋଜନା ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେଉଥିବାରୁ ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଯାଇଛି। ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍‌ସ୍ତରରେ ଏକ କମିଟି ଗଠିତ ହେବ।

ଏହି କମିଟି ନେତୃତ୍ଵରେ ଏମ୍‌ଏସ୍‌ଏମ୍ଇ ବା ସ୍ଵୀକୃତିପ୍ରାପ୍ତ ଏସ୍ଏଚ୍‌ଜିଙ୍କୁ ପୋଷାକ କ୍ରିୟ ବା ବଣ୍ଟନ ଦାୟିତ୍ବ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ। ଜଣେ ଛାତ୍ର/ଛାତ୍ରୀଙ୍କୁ ବର୍ଷକ ପାଇଁ ୨ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ। ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର-ପଞ୍ଜାବୀ ପୋଷାକ ରହିଛି।

Leave a Reply

Your email address will not be published. Required fields are marked *

Back to top button