ଆଫଗାନିସ୍ତାନରେ ସରକାର ଗଢିବ ତାଲିବାନ

ନୂଆଦିଲ୍ଲୀ :  ଶନିବାର ତାଲିବାନର ନୂଆ ସରକାର । ମୁଖିଆ ହେବେ ମୁଲ୍ଲା ବରାଦର । ୧୯୯୬ ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲେ ରକ୍ଷାମନ୍ତ୍ରୀ । ତେବେ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏପଟେ କାଶ୍ମୀର ପ୍ରସଙ୍ଗରେ ତାଲିବାନ ସ୍ବର ବଦଳାଇଛି । ତାର ଅସଲ ରଙ୍ଗ ଦେଖାଇ ତାଲିବାନ କହିଛି , କାଶ୍ମୀର ସମେତ ସାରା ବିଶ୍ବର ମୁସଲିମ୍ ଙ୍କ ପାଇଁ ଆମେ ସ୍ବର ଉଠାଇବୁ । ସେହିପରି ଚୀନକୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ପାଟର୍ନର କହିବା ସହ ଆଫଗାନିସ୍ତାନରେ ନିବେଶ ଲାଗି ଆମନ୍ତ୍ରଣ କରିଛି ତାଲିବାନ । ଚୀନର ୱାନ୍ ବେଲ୍ଟ ୱାନ୍ ରୋଡ୍ କୁ ସହଯୋଗ କରିବା ସହ, ଚୀନ ପାଇଁ ଆଫଗାନିସ୍ତାନ ତମ୍ବା ଖଣି ଖୋଲି ଦେଇଛିି ତାଲିବାନ ।.

ଆଫଗାନିସ୍ତାନରେ ତାଲିବାନ ସରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ନୂଆ ସରକାରର କମାଣ ସମ୍ଭାଳିବ ମୁଲ୍ଲା ବରାଦର । ତାଲିବାନ ସଂଗଠନରେ ବରାଦର ଦ୍ବିତୀୟ ନମ୍ବର ନେତା । ୧୯୯୬ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲା ରକ୍ଷାମନ୍ତ୍ରୀ । ୨୦୦୧ରେ ଆଫଗାନିସ୍ତାନକୁ ଆମେରିକା କବଜା କରିବା ପରେ ବରାଦର ଚାଲି ଯାଇଥିଲା ପାକିସ୍ତାନ । ୨୦୧୮ରେ ଦୋହାରେ ତାଲିବାନ ରାଜନୈତିକ ଅଫିସ୍ ଖୋଲିବା ପରେ ବରାଦର ନେତୃତ୍ବରେ ଆମେରିକା ସହ ଶାନ୍ତି ବାର୍ତ୍ତା ହୋଇଥିଲା । ସୂତ୍ର ଅନୁଯାୟୀ ସରକାରରେ ୨୫ଜଣ ମନ୍ତ୍ରୀ ରହିବେ । ତେବେ ୧୨ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏହି ସମିତି ସରକାରଙ୍କୁ ପରାମର୍ଶ ଦେବ । ତାଲିବାନର ସୁପ୍ରିମଲିଡର ହିବାତୁଲ୍ଲା ଅଖୁନଜାଦା ଧର୍ମୀୟ ମାମଲାର ମୁଖ୍ୟ ରହିବ ବୋଲି ଜଣାପଡିଛି । ଇସଲାମିକ୍ ନିୟମ ଅନୁଯାୟୀ ସରକାର କାମ କରୁଛ କି ନାହିଁ ତାହା ଦେଖିବ ଅଖୁନଜାଦା ।

 ଆଫଗାନିସ୍ତାନ ମାଟିରୁ ଯେଭଳି ଭାରତ ବିରୋଧୀ କାର୍ଯ୍ୟକଳାପ ନଚାଲେ, ସେନେଇ ଭାରତ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଗରୁ ମଧ୍ୟ ତାଲିବାନ ମୁଖପାତ୍ର, କାଶ୍ମୀର ପ୍ରସଙ୍ଗ ଦ୍ବିପାକ୍ଷିକ ବୋଲି କହିଥିଲେ । ହେଲେ ଏବେ ଦେଇଥିବା ମନ୍ତବ୍ୟ ଚିନ୍ତା ବଢାଇଛି । ବିବିସି ଉର୍ଦ୍ଦୁକୁ ସାକ୍ଷାତକାର ଦେଇ ସୁହେଲ ସାହିନ୍ କହିଛନ୍ତି, ମୁସଲିମ୍ ଭାବରେ କାଶ୍ମୀର ସମେତ ବିଶ୍ବର ସବୁ ମୁସଲିମ୍ ଙ୍କ ପାଇଁ ସ୍ବର ଉତ୍ତୋଳନ କରିବା ଆମର ଅଧିକାର ।ସାହିନ କହିଛନ୍ତି, ମୁସଲିମ୍ ମାନେ ଆମ ନିଜ ଲୋକ, ସେମାନଙ୍କୁ ଆଇନ ଅନୁଯାୟୀ ସମାନ ଅଧିକାର ମିଳିବା ଉଚିତ । ଗୋଟିଏ ପଟେ କାଶ୍ମୀର ମାମଲାରେ ତାଲିବାନର ମନ୍ତବ୍ୟ ଅନ୍ୟ ପଟେ ଚୀନକୁ ସବୁଠୁ ତାଲିବାନ ମୁଖପାତ୍ର ସବୁଠୁ ଗୁରୁତ୍ବପୂର୍ଣ୍ଣ ପାଟନର୍ କହିବା ଭାରତର ଚିନ୍ତା ବଢାଇଛି ।

ତାଲିବାନ ସରକାରକୁ ବିଶ୍ବର ଅଧିକାଂଶ ଦେଶ ଏଯାଏଁ ମାନ୍ୟତା ଦେଇନାହାନ୍ତି । ଏପରି ସମୟରେ ଚୀନ ଦେଇଛି ତାଲିବାନ ସରକାରକୁ ସହଯୋଗର ଭରସା । କାବୁଲରେ ଚୀନ ତାର ଦୂତାବାସ ଚାଲୁ ରଖିବ । ଆଫଗାନିସ୍ତାନକୁ ମାନବୀୟ ସହାୟତା ଦେବ ଚୀନ । ଅନ୍ୟପଟେ ଚୀନର ୱାନ ବେଲଟ୍ , ୱାନ୍ ରୋଡ୍- ଡ୍ରିମ୍ ପ୍ରୋଜେକ୍ଟକୁ ସହାୟତା ଦେବାକୁ ତାଲିବାନ ମୁଖପାତ୍ର ଘୋଷଣା କରିସାରିଛି । କେବଳ ସେତିକି ନୁହେଁ, ଯୁଦ୍ଧ କ୍ଷତିଗ୍ରସ୍ତ ଆଫଗାନିସ୍ତାନକୁ ନୂଆକରି ଗଢିବା ଲାଗି ଚୀନ ପାଇଁ ତାଲିବାନ ଖୋଲି ଦେଇଛି ତମ୍ବା ଖଣିର ଭଣ୍ଡାର ।

Leave a Reply

Your email address will not be published. Required fields are marked *

Back to top button