ଦିଲ୍ଲୀରେ ଟମାଟୋ କିଲୋ ୨୦୦ ଟଙ୍କା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋ କିଲୋ ୨୦୦ ଟଙ୍କା। ଏହାଛଡା ଅନ୍ୟ କେତେକ ସ୍ଥାନରେ ମଧ୍ୟ ଟମାଟୋ ୧୦୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ସେଥିପାଇଁ ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ବଣ୍ଟନ ପାଇଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କିଣି ଯୋଗାଇବାକୁ କେନ୍ଦ୍ର ସରକାର ବୁଧବାର ସମବାୟ ସଂସ୍ଥା ନାଫେଡ୍ ଏବଂ ଏନସିସିଏଫକୁ ନିର୍ଦ୍ଦେଶ ଦେଇଛି।
ଖବର ଅନୁଯାୟୀ ଖାଉଟି ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି ଜୁଲାଇ ୧୪ରୁ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକମାନଙ୍କୁ ଖୁଚୁରା ଦୋକାନ ମାଧ୍ୟମରେ ରିହାତି ମୂଲ୍ୟରେ ଟମାଟୋ ଷ୍ଟକ୍ ବଣ୍ଟନ କରାଯିବ। ଦେଶରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ କିଲୋ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍) ଟମାଟୋ କ୍ରୟ କରିବେ।
ସେହିପରି ମନ୍ତ୍ରାଳୟର ସୂଚନା ଯେଉଁ କେନ୍ଦ୍ରଗୁଡ଼ିକରେ ପ୍ରଚଳିତ ଦର ସର୍ବ ଭାରତୀୟ ହାରାହାରି ଠାରୁ ଅଧିକ ରହିଛି ସେଠାରେ ଗତ ଏକ ମାସ ମଧ୍ୟରେ ଖୁଚୁରା ମୂଲ୍ୟରେ ସମ୍ପୂର୍ଣ୍ଣ ବୃଦ୍ଧି ଆଧାରରେ ଟମାଟୋ ଛାଡିବା ପାଇଁ ଟାର୍ଗେଟ୍ ସେଣ୍ଟର ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା କେନ୍ଦ୍ରଗୁଡ଼ିକର ସଂଖ୍ୟା ଅଧିକ ଥିବା ରାଜ୍ୟର ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକୁ ଏଥିପାଇଁ ଚୟନ କରାଯିବ।