ଟନେଲରୁ ଉଦ୍ଧାର ହେଲେ ୪୧ ଶ୍ରମିକ

ଉତ୍ତରାଖଣ୍ଡ : ଉତ୍ତରକାଶୀ ଜିଲ୍ଲାରେ ଟନେଲରେ ୧୭ ଦିନ ଧରି ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି।ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ଖବର ଅନୁଯାୟୀ ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣଧୀନ ଟନେଲରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସବୁଦିନ ପରି ନଭେମ୍ବର ୧୨ ତାରିଖରେ ଶ୍ରମିକମାନେ କାମ କରିବାକୁ ଯାଇଥିଲେ। କିନ୍ତୁ ସକାଳ ୫ଟା ୩୦ରେ ହଠାତ୍ ଭୂସ୍ଖଳନ ହେବାରୁ ଅନେକ ବାହାରକୁ ଚାଲିଆସିଥିଲେ। ହେଲେ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ। ୧୩ରେ ଶ୍ରମିକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ ସହିତ ଅମ୍ଳଜାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେମାନେ ନିରାପଦରେ ଥିବା ସୂଚନା ମିଳିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

ଏଥିପାଇଁ ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲେ ହେଁ ସବୁ ଫେଲ ମାରିଥିଲା। ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାକାରୀ ଦଳର ପାଇପ ପହଞ୍ଚିଥିଲା। ସେହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂର। ସେଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା। ଏନଡିଆରଏଫର ୩ଟି ଟିମ ଉଦ୍ଧାର ପାଇଁ ପାଇପ ମାଧ୍ୟମରେ ଯୋଗେ ଟନେଲ ଭିତରକୁ ଯାଇଥିଲେ। ପର୍ଯ୍ୟାୟକ୍ରମେ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା। ପ୍ରଥମେ ୫ ଜଣ, ତା’ପରେ ୪ ଓ ୬ ଜଣ ଏବଂ ଶେଷରେ ସମସ୍ତ ୪୧ ଜଣଙ୍କୁ ବାହରକୁ ଅଣାଯାଇଛି। ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେତ ଉଦ୍ଧାରକାରୀ ଟିମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଦୁର୍ଘଟଣା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥା ହୋଇ ବୁଝୁଥିଲେ। ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ତୋଷ ପ୍ରକାଶ କରିଛନ୍ତି। ଏକ ଟୁଇଟ କରି ସେ ଶ୍ରମିକମାନଙ୍କ ଧୈର୍ଯ୍ୟକୁ ସଲାମ ଜଣାଇଛନ୍ତି। ସେହିପରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଅପରେସନରେ ନିୟୋଜିତ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଫସିରହିଥିବା ସମସ୍ତ ଶ୍ରମିକ ନିରାପଦରେ ଘରକୁ ଫେରୁଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ସେ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଓ ପ୍ରତିରକ୍ଷା ଦଳକୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button