ମୁସ୍‌ଲିମ ସମାଜରୁ ଅହମଦିଆ ମୁସଲମାନଙ୍କୁ ବାହାର କଲା ୱାକଫ୍ ବୋର୍ଡ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ମୁସ୍‌ଲିମ୍‌ ୱାକଫ ବୋର୍ଡ ଅହମ୍ମଦିଆ ମୁସଲମାନମାନଙ୍କୁ ମୁସଲମାନ ସମଜରୁ ବାହାର କରି ଦେଇଛି। କିନ୍ତୁ କେନ୍ଦ୍ର ସରକାର କହିଛନ୍ତି ଏପରି କରିବାକୁ ୱାକଫ୍‌ ବୋର୍ଡର କୌଣସି ଅଧିକାର ନାହିଁ।

ଖବର ଅନୁଯାୟୀ ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟର ଅହସାନ ଗୌରୀ ନାମକ ଜଣେ ବ୍ୟକ୍ତି ଜୁଲାଇ ୨୦ ତାରିଖରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ଚିଠି ଲେଖି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଆନ୍ଧ୍ରପ୍ରଦେଶ ୱାକଫ ବୋର୍ଡ ଜାମାଇତୁଲ ଉଲେମାର ଫତୱା ଆଧାରରେ ନିର୍ଦ୍ଦେଶ ଜାରିକରି ଅହମଦିଆଙ୍କୁ ମୁସଲମାନ ସମ୍ପ୍ରଦାୟରୁ ବାହାର କରିଦେଇଛି ବୋଲି ସେ ଦର୍ଶାଇଥିଲେ।

ସଂଖ୍ୟାଲଘୁ ମନ୍ତ୍ରଣାଳୟ ଅଭିଯୋଗ ପାଇବା ପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖି ୱାକଫ୍ ବୋର୍ଡକୁ ରୋକ୍‌ଠୋକ ଶୁଣାଇଛନ୍ତି। ଇସଲାମରୁ କୌଣସି ସମ୍ପ୍ରଦାୟକୁ ବାଦ୍ ଦେବା ପାଇଁ ରାଜ୍ୟ ୱାକଫ ବୋର୍ଡର ଫତୱା ଜାରି କରିବାର ଅଧିକାର ନାହିଁ। ୱାକଫ ବୋର୍ଡ ଏକ ସାମାଜିକ ସଂଗଠନ ଦ୍ୱାରା ଦିଆଯାଇଥିବା ପତୱା ଉପରେ କିପରି ସରକାରୀ ସିଲ୍ ଲଗାଇ ପାରିବ ବୋଲି ମନ୍ତ୍ରଣାଳୟ ପ୍ରଶ୍ନ କରିଛି।

ସୂଚନାଯୋଗ୍ୟ ୧୮୮୯ ଆନ୍ଦୋଳନରୁ ଅହମଦିଆ ସମ୍ପ୍ରଦାୟର ଆରମ୍ଭ ହୋଇଥିଲା। ମିର୍ଜା ଗୁଲାମ ଅହମ୍ମଦଙ୍କ ସମର୍ଥକମାନଙ୍କୁ ଅହମଦିଆ ମୁସଲମାନ କୁହାଗଲା। ମିର୍ଜା ଅହମ୍ମଦ ଏକ ଧର୍ମ ପୁନରୁତ୍ଥାନ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନର ସମର୍ଥନରେ ଯୋଗ ଦେଇଥିବା ସମସ୍ତ ମୁସଲମାନମାନଙ୍କୁ ଅହମ୍ମଦିଆ ବୋଲି କୁହାଗଲା। ପଞ୍ଜାବର କାଦିଆନ ଠାରେ ୧୮୩୫ ମସିହାରେ ମିର୍ଜା ଗୁଲାମ ଅହମଦଙ୍କ ଜନ୍ମ ହୋଇଥିଲା। ୧୯୦୮ରେ ପାକିସ୍ତାନରେ ଲାହୋରରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button